ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକା ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ, ପୂର୍ବତନ ସାଂସଦ ତଥା ବିଶିଷ୍ଟ ସାହିତ୍ୟିକା ଜୟନ୍ତୀ ପଟ୍ଟନାୟକ ଆଉ ନାହାନ୍ତି । ୯୦ ବର୍ଷ ବୟସରେ ସେ ଆଖି ବୁଜି ଦେଇଛନ୍ତି । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ ।  ଗତକାଲି ସଂଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିବାରୁ ଗଙ୍ଗନଗରରେ ଥିବା ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚିପାରି ନ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୯୦ବର୍ଷ ବୟସରେ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଆଜି ରାତି ୮ଟା ୨୦ମିନିଟ୍‌ରେ ତାଙ୍କର ପ‌ରଲୋକ ହୋଇଯାଇଛି। ମୃତ୍ୟୁ ବେଳେ ତାଙ୍କ ନିକଟରେ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ, ବୋହୂ ସସ୍ମିତା ପଟ୍ଟନାୟକ, ବଡ଼ ଝିଅ ସୁଦତ୍ତା ପଟ୍ଟନାୟକ, ଜ୍ବାଇଁ ‌ସୌମ୍ୟ ରଂଜନ ପଟ୍ଟନାୟକ, ଝିଆରୀ ଗୀତା ବକ୍ସି, ନାତୁଣୀ ତନୟା ପଟ୍ଟନାୟକ, ନାତୁଣୀ ଜ୍ବାଇଁ ସତ୍ୟ ସ୍ମୃତି ମହାନ୍ତି, ନାତୁଣୀ ତମନ୍ନା ପଟ୍ଟନାୟକ ଓ ତନ୍ମୟୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଗଞ୍ଜାମ ଜିଲ୍ଲା ଆସ୍କାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ । ତାଙ୍କର ପିତା ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ । କଟକ ଶୈଳବାଳା ମହିଳା କଲେଜରୁ ଦର୍ଶନ ଓ ସଂସ୍କୃତିରେ ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବମ୍ବେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସର ସମାଜ ବିଜ୍ଞାନରେ ଏମଏ ପାସ୍ କରିଥିଲେ । ୧୯୫୩ ମସିହାରେ ଜାନକୀ ବାବୁଙ୍କ ସହ ତାଙ୍କର ବିବାହ ହୋଇଥିଲା । ସାହିତ୍ୟ ଓ ସମାଜ ସେବାରେ ନିଜକୁ ବ୍ରତୀ କରିଥିଲେ ।
୧୯୮୦ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ କଟକ ଲୋକସଭା ଆସନରୁ ଲାଗ ଲାଗ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ଏବଂ ୧୯୯୮ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ସେ ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା(୧୯୯୨-୧୯୯୫) ଥିଲେ ।
କେବଳ ରାଜନୀତି ଓ ସମାଜସେବା ନୁହେଁ, ଜଣେ ସୁସାହିତ୍ୟିକା ଓ ଅନୁବାଦିକା ଥିଲେ । ମହାଭାରତ କାହାଣୀ ଏବଂ ଜେ ଏମ ମୁନସୀଙ୍କ କୃଷ୍ଣବତାରର ଓଡ଼ିଆ ଅନୁବାଦ ତାଙ୍କର ଶ୍ରେଷ୍ଠ କୃତୀ । ତାଙ୍କର ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ଓ ଦୁଇ ଝିଅ ଅଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି । ତାଙ୍କର ଶେଷଦର୍ଶନ ପାଇଁ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଭିଡ଼ ହୋଇଛି । ଆସନ୍ତାକାଲି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.