ନବଘନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଂଜଆଡ଼ିଆ ନବଘନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ଏହି ସଭାରେ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ଭୋଇ, ରାଜନୀତି ବିଜ୍ଞାନର ଅଧ୍ୟାପକ ବଳରାମ ମହାନ୍ତି ଓ ଲାଇବ୍ରେରୀ ଆଟେଣ୍ଡାଣ୍ଟ ଉଦ୍ଧବ ଚରଣ ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମସ୍ତଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମନୋରଞ୍ଜନ ପତି ସଭାର ସଭାପତିତ୍ବ କରି ପ୍ରାରମ୍ଭିକ ବକ୍ତବ୍ୟରେ ଅନୁଷ୍ଠାନକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସାମିଲ କରାଇବାରେ ଅଧ୍ୟାପକଙ୍କ ତ୍ୟାଗ ଓ ନିଷ୍ଠାକୁ ମନେପକାଇ ତାଙ୍କ ଦୀର୍ଘ ଏବଂ ନିରାମୟ ଜୀବନ କାମନା କରିଥିଲେ।

ସଭାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଭାଗିରଥି ପଲାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଅଧ୍ୟାପକଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଅଧ୍ୟାପକମାନେ ଛାତ୍ରବତ୍ସଳ, କର୍ତ୍ତବ୍ୟ ପରାୟଣ ଥିଲେ ବୋଲି କହିଥିଲେ । ସଭାରେ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ଭୋଇ ଛାତ୍ରଛାତ୍ରୀଙ୍କୁ ପିମ୍ପୁଡ଼ି ପରି ପରିଶ୍ରମୀ ହୁଅ ଏବଂ ଦୂବଘାସ ପରି ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଶ୍ରୀଧର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ପଳିତାଙ୍କ ସମେତ ବରିଷ୍ଠ ପ୍ରାଧ୍ୟାପକ ପୀତାମ୍ବର ତ୍ରିପାଠୀ, ଅଧ୍ୟାପକ ଜୟପ୍ରକାଶ ଦାସ, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଗୀତାଞ୍ଜଳି ଦେବତା, ନିରୁପମା ପଳିତାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.