ଆକାଶ ଛୁଆଁ ଟମାଟୋ ଦର, ରାଜ୍ୟପାଳଙ୍କ ଭୋଜନ ତାଲିକାରୁ ହଟିଲା ଟମାଟୋ ବ୍ୟଞ୍ଜନ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆକାଶ ଛୁଆଁ ହେଲାଣି ଟମାଟୋ ଦର । ଟମାଟୋ ଦର ଅରେହତୁକ ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ଚିନ୍ତା ବଢିଲାଣି । ଏମିତିକି ଆଉ ଅନେକଙ୍କ ରୋଷେଇ ଘରେ ଆଉ ଟମାଟୋ ପଶୁନାହିଁ । ଏଭଳି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଚଣ୍ଡୀଗଡ଼ରେ କିଲୋପିଛା ୨୦୦ ଟଙ୍କା ହୋଇ ଟମାଟୋ ଦୁର୍ମୂଲ୍ୟ ହୋଇଯାଇଛି। ଚଣ୍ଡୀଗଡ଼ରେ ଟମାଟୋ ଦର ଖୁବ୍‌ ମହଙ୍ଗା ହେବାରୁ ପଞ୍ଜାବ ରାଜ୍ୟପାଳଙ୍କ ଭୋଜନ ତାଲିକାରୁ ଟମାଟୋ ବ୍ୟଞ୍ଜନ ହଟାଇ ଦିଆଯାଇଥିବା କଥା ରାଜଭବନରୁ ଜାରି ବିବୃତିରେ କୁହାଯାଇଛି। ସାମୟିକ ଭାବେ ଟମାଟୋ ପରିବର୍ତ୍ତେ ବ୍ୟଞ୍ଜନ ବା ତରକାରିରେ ଅନ୍ୟ କିଛି ପକାଇବାକୁ ରାଜ୍ୟପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏମିତି କରିବାଦ୍ବାରା ଟମାଟୋ ଦର ନିୟନ୍ତ୍ରଣରେ ରହିବ। ରାଜଭବନରୁ ଜାରି କରାଯାଇଥିବା ବିବୃତି ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ମୁଖ୍ୟ ଭାବେ କାର୍ୟ୍ୟ ତୁଲାଉଥିବା ପଞ୍ଜାବର ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ସାମୟିକ ଭାବେ ଟମାଟୋ ନ ଖାଇବାକୁ ସ୍ଥିର କରିଛନ୍ତି।

ଟମାଟୋ ତଥା ଖାଦ୍ୟ ଦର ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଥିବା ପଞ୍ଜାବବାସୀଙ୍କ ପ୍ରତି ସହାନୁଭୂତି ଦର୍ଶାଇ ସେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟପାଳ ପୁରୋହିତ କହିଛନ୍ତି, କୌଣସି ଜିନିଷ ଖାଇବା ଛାଡ଼ି ଦେଲେ ବା କମାଇ ଦେଲେ ତା’ର ଦର ପ୍ରଭାବିତ ହେବ। ଚାହିଦା କମିଲେ ଦର ଆପଣାଛାଏଁ କମିଯିବ। ଆଶାକରେ ଜନସାଧାରଣ ଏବେ ନିଜ ନିଜ ପରିବାରରେ ଟମାଟୋର କୌଣସି ବିକଳ୍ପ ବ୍ୟବହାର କରି ଟମାଟୋ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବେ। ରାଜଭବନ ବିବୃତିରେ ଉଲ୍ଲେଖ କରାଯାଇଛି ଯେ, ଯୋଗାଣ ବ୍ୟବସ୍ଥାରେ ବ୍ୟାଘାତ, ଜଳବାୟୁଜନିତ ପରିସ୍ଥିତି ଏବଂ ବଜାର ବ୍ୟବସ୍ଥା ସମେତ କେତେଗୁଡ଼ିଏ କାରଣ ଆକସ୍ମିକ ଟମାଟୋ ଦର ବୃଦ୍ଧି ପାଇଁ ଦାୟୀ ।

Leave A Reply

Your email address will not be published.