ପୁରୀ(ଓଡ଼ିଆ ନ୍ୟୁଜ୍): ରଥଯାତ୍ରା ଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ବ । ଜନସମାଗମ, ପବିତ୍ରତା ଓ ପରିପାଟୀ ଦୃଷ୍ଟିରେ ସାରା ପୃଥିବୀରେ ଏହା ଅଦ୍ୱିତୀୟ । ପୁରୀ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ । କେଉଁ ଅନାଦି କାଳୁ ଚାଲି ଆସିଛି ଏହି ଯାତ୍ରା। ତେବେ ରଥଯାତ୍ରା ସହ ଅନେକ କିମ୍ବଦନ୍ତୀ ଜଡିତ ରହିଛି । ପୋଥି ପୁରାଣ ରଚନା ଓ ବିଶାଦରେ ରଥଯାତ୍ରାକୁ ନେଇ ଭିନ୍ନ ଭିନ୍ନ ବର୍ଣ୍ଣନା କରାଯାଇଛି ।
ଶାସ୍ତ୍ର ଅନୁଯାୟୀ ନୀଳାମୟ ଜଗନ୍ନାଥଙ୍କର ପୂର୍ଣ୍ଣ ରୂପ ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ବିଶ୍ୱକର୍ମା । ସର୍ତ୍ତ ଥିଲା ମୂର୍ତ୍ତି ନିର୍ମାଣ ସେ ଏକାନ୍ତରେ ହିଁ କରିବେ। ତାଙ୍କ କାର୍ୟ୍ୟଶାଳାର ଦ୍ୱାରା ବନ୍ଦ ରହିବ। ଯଦି ନିର୍ମାଣ ପୂର୍ବରୁ କେହି ଭୁଲରେ ବି ଦ୍ୱାର ଖୋଲିଦିଏ ତେବେ ସେ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଅଧାରେ ହିଁ ରହିବ। ରାଜା ସର୍ତ୍ତ ମାନିନେଲେ । ବିଶ୍ୱକର୍ମା ଗୁଡିଜା ନାମକ ସ୍ଥାନରେ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ କରିଦେଲେ । କିନ୍ତୁ ନିର୍ଧାରିତ ସମୟ ଅତିବାହିତ ହେବା ଏବଂ ନିର୍ମାଣ କକ୍ଷ୍ୟର ଦ୍ୱାର ନ ଖୋଲିବାରୁ ରାଜା ଚିନ୍ତିତ ହୋଇପଡିଲେ । ତେଣୁ ଅନିଚ୍ଛା ସତ୍ୱେ ସେ ଦ୍ୱାର ଖୋଲିବାକୁ ବାଧ୍ୟ ହୋଇଥିଲେ । ହେଲେ ସେତେବେଳେ ନିର୍ମାଣ କାର୍ୟ୍ୟ ଶେଷ ହୋଇନଥିଲା। ସେଠାରେ ରାଜାଙ୍କୁ ଦେଖି ବିଶ୍ୱକର୍ମା ଅନ୍ତର୍ଦ୍ଧ୍ୟାନ ହୋଇଗଲେ । ଆଉ ଅଧାରେ ରହିଗଲା ଭଗବାନ୍ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ନିର୍ମାଣ । ଠିକ୍ ସେତିକି ବେଳେ ଆକାଶବାଣୀ ହୋଇଥିଲା ଭଗବାନ୍ ଏହି ରୂପରେ ହିଁ ସ୍ଥାପିତ ହେବା ଉଚିତ୍ । ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକ ବିଶାଳ ଭବ୍ୟ ମନ୍ଦିର ତିଆରି କରି ତିନି ମୂର୍ତ୍ତିକୁ ସେଠାରେ ସ୍ଥାପନା କରିଥିଲେ । ସାଥୀରେ ଏକଥା ମଧ୍ୟ ଆକାଶବାଣୀ ହେଲା ଯେ ଭଗବାନ୍ ନିଜ ଜନ୍ମଭୂମିକୁ ବର୍ଷରେ ଥରେ ନିଶ୍ଚିତ ଯିବେ ।
ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନ ଆଷାଢ ମାସର ଶୁକ୍ଲପକ୍ଷ ଦ୍ଵିତୀୟାରେ ପ୍ରଭୁଙ୍କୁ ନିଜ ଜନ୍ମଭୂମିକୁ ନେବା ପାଇଁ ବ୍ୟବସ୍ଥା କଲେ । ସେବେଠାରୁ ଏହି ପରମ୍ପରା ରଥଯାତ୍ରା ନାଁରେ ପ୍ରଚଳିତ ହୋଇ ଆସୁଛି । ସେହିପରି ଆଉ ଏକ କଥା ଅନୁସାରେ, ସୁଭଦ୍ରାଙ୍କ ଦ୍ୱାରକା ଦର୍ଶନ ଇଛାକୁ ପୁରା କରିବାକୁ ଯାଇ ଶ୍ରୀକୃଷ୍ଣ ଏବଂ ବଳରାମ ଅଲଗା ଅଲଗା ରଥରେ ଯାତ୍ରା କରିଥିଲେ । ସୁଭଦ୍ରାଙ୍କ ନଗର ଯାତ୍ରାର ସ୍ମୃତିରେ ହିଁ ଏହି ରଥଯାତ୍ରା ପ୍ରତିବର୍ଷ ପାଳିତ ହେଉଛି । ୧୬ଶ ଶତାବ୍ଦୀରେ ରଚିତ କପିଳ ସଂହିତାରେ ମହାପ୍ରଭୁ ଜଗନ୍ନାଥ ନିଜେ ରତ୍ନ ସିଂହାସନ ତ୍ୟାଗ କରି ନିଜ ଭକ୍ତ ମାନଙ୍କୁ ସକଳ ପାପ ତାପରୁ ମୁକ୍ତି ଦେବାକୁ ରଥରେ ବସି ବଡ ଦାଣ୍ଡରେ ବିଜେ କରିବାର ପ୍ରତିଶୃତି ଦେଇଥିଲେ । ତେଣୁ ଏହାକୁ ଇଚ୍ଛାମୟ ମହାପ୍ରଭୁଙ୍କ ନିଜ ଇଚ୍ଛାର ଯାତ୍ରା ବୋଲି କୁହାଯାଏ। ଏହି ଯାତ୍ରାରେ ଭକ୍ତଟିଏ ନିଜକୁ ସାମିଲ କରି ସୌଭାଗ୍ୟ ଲାଭକରେ ।