କାଳିଆ କାହିଁକି ଟାହିଆ ପିନ୍ଧେ, ଜାଣନ୍ତୁ..

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ରଥଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ପହଣ୍ଡି ବିଜେ । ଆଉ ସେହି ପହଣ୍ଡି ବିଜେରେ ଟାହିଆ ପିନ୍ଧି ଝୁଲି ଝୁଲି ଆସନ୍ତି ବଡ଼ ଠାକୁର । ତେବେ ଏହି ଟାହିଆକୁ ନେଇ ବଡ଼ କାହାଣୀଟେ ଅଛି । କିମ୍ବଦନ୍ତୀ ଅନୁଯାୟୀ, ଦିନେ ଧୁ ଧୁ ଖରାରେ ଶ୍ରୀକ୍ଷେତ୍ର ଯିବାକୁ ମନ ବଳାଇଲେ ରାଘବ ଦାଶେ। ପରିଣତ ବୟସରେ ଶରୀର ସାଥ୍ ଦଉ ନ ଥିଲେ ବି ତଥାପି କାଳିଆ ପ୍ରେମ ତାଙ୍କୁ ଟାଣି ନେଇଥିଲା ପୁରସ୍ତମ ଅଭିମୁଖେ । ପଚଣ୍ଡ ରୌଦ୍ରତାପକୁ ଖାତିର ନକରି ଗୀତ ଗାଇ ଗାଇ ବାବାଜୀ ରାଘବ ଦାଶେ ଜଗା ଦର୍ଶନ ପାଇଁ ଆଗେଇ ଚାଲୁଥାଆନ୍ତି। ଏହାରି ଉପରେ ଖରା ଆସି ମୁଣ୍ଡ ଉପରେ ପହଞ୍ଚିଲାଣି । ଚାଲି ଚାଲି ଥକିପଡ଼ି ଦାଶେ ଅଣ୍ଟା ବନ୍ଧା ଗାମୁଛାରେ ଝାଳ ପୋଛି ହୋଇ ମୁଣ୍ଡରେ ବାନ୍ଧିଲେ। ‘ଆଉ ପାରୁନି ମଣିମା। ଏ ଖରାରେ ପାଦ, ହାତ ଚାଲୁନି। ଏତେ ବାଟ କେମିତି ଯିବି । ନିଳଚକ୍ର ଦିଶୁଛି ସିନା, ମୋ ପାଦ ଆଉ ଚାଲୁନି।’ ଏତିକି କହି ବାବାଜୀ ରାଘବ ଦାଶେ ସେହି ବାଲି ଉପରେ ବସିପଡିଲେ। କ୍ଲାନ୍ତି ମେଣ୍ଟାଇବାକୁ ଯାଇ ହରିନାମ ଜପିବା ଛଡା ତାଙ୍କ ପାଖରେ ଆଉ କୌଣସି ସାଧନ ନ ଥିଲା। କିନ୍ତୁ କଳା ସାଆନ୍ତେ ଭକ୍ତର ମନକଥା ଜାଣିପାରିଲେ। ଆଉ କି ଥୟ ଧରନ୍ତି ଜଗତ ଠାକୁର। ଭକ୍ତର ଦୁଃଖ ସହି ନ ପାରି ଦେଉଳ ଛାଡି ସମୁଦ୍ର କୂଳ ଆଡ଼େ ଧାଇଁଲେ। ଆଉ ଖରା ଦାଉରୁ ରକ୍ଷା କରିବା ପାଇଁ ଧ୍ୟ୍ୟାନରତ ଭକ୍ତ ରାଘବ ଦାଶଙ୍କୁ ଛତା ଧରି ଛାଇ ଦେଲେ । ନିଜ ପାଦକୁ ତତଲା ବାଲିରେ ପୋଡି ଭକ୍ତର ଆନନ୍ଦ ଦେଖୁ ଥାଆନ୍ତି କାଳିଆ ଠାକୁର।

ଏହା ପରେ ଗଜପତି ମହାରାଜଙ୍କୁ ସ୍ୱପ୍ନାଦେଶ ହୁଏ। ‘ଇଏ ମୋର ପରମ ଭକ୍ତ ରାଘବ ଦାଶ। ତାର ପାଇଁ ଏଇଠି ମଠଟିଏ ଖଞ୍ଜା କର। ସେ ନିଇତି ଏଇଠୁ ମୋର ଦର୍ଶନର ସୁଯୋଗ ପାଉ।’ ସ୍ୱପ୍ନାଦେଶ ପାଇ ରାଜା ଦୌଡିଲେ ସମୁଦ୍ର କୂଳକୁ। ଡହଡହ ଖରାରେ ସିଝୁଥିବା ରାଘବ ଦାଶଙ୍କୁ ପ୍ରଣିପାତ କରି କୁଣ୍ଢାଇ ପାକାଇଲେ। ପ୍ରଭୁ ଯେ, ତାଙ୍କ ମନକଥା ଜାଣିପାରିଛନ୍ତି ସେ କଥା କହିଲେ। ଆଉ ରାଘବ ଯେଉଁଠାରେ ବସିଛନ୍ତି ସେଠାରେ ମଠ ସ୍ଥାପନ ପାଇଁ ରାଜା ଅନୁମତି ମଧ୍ୟ ଦେଲେ। ଏଥର ରାଘବ ଦାଶ କହିଲେ- “ ଯେଉଁ ଠାକୁର ମୋ ମଥାକୁ ଛାଇ ଦେଲା। ମୁଁ ତା ମଥାକୁ ଛାଇ ଦେବି। ମୁଁ କାଳିଆର ଋଣ ଶୁଝିବାକୁ ଚାହୁଁଛି। ଅଦ୍ଭୁତ ଭାବାନ୍ତର ଜଣେ ଭକ୍ତର। ରାଜା ପଚାରିଲେ, କେମିତି ? ଉତ୍ତରରେ ଦାଶେ କହିଲେ, ‘ପହଣ୍ଡି ବେଳେ କାଳିଆଠାକୁରଙ୍କ ମଥାକୁ ମୁଁ ବି ଛତାଟିଏ ଦେବି। ଯାହା ତାଙ୍କ ମଥାରେ ଲାଗି ରହିବ। ନାଁ ହେବ ଟାହିଆ। ଖରା ଦାଉରୁ କଳା ଶ୍ରୀମୁଖକୁ ସୁରକ୍ଷା ଦେବ ଏହି ଟାହିଆ। ସେବେଠୁ ଶ୍ରୀମନ୍ଦିରରେ ଏହି ପରମ୍ପରା ଚାଲିଆସୁଛି । ପ୍ରତିଥର ପହଣ୍ଡି ପାଇଁ କଳାଶ୍ରୀମୁଖକୁ ଛାଇ ଦେବାକୁ ଟାଇହିଆ ଯୋଗାଇ ଦେଇଆସୁଛି ପୁରୀସ୍ଥିତ ରାଘବ ଦାସ ମଠ ।

Leave A Reply

Your email address will not be published.