ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମରେ ଏବେ ବି ବନ୍ୟା ସ୍ଥିତି ଅସମ୍ଭାଳ । ଆସାମରେ ବନ୍ୟା ପରିସ୍ଥିତି ଅତି ମନ୍ଥରଗତିରେ ସୁଧୁରୁଥିବା ବେଳେ ଏବେ ବି ଗମ୍ଭୀର ପରିସ୍ଥିତି ରହିଛି। ଅନେକ ଘର ଏବେ ବି ପାଣି ଘେରରେ ରହିଥିବା ବେଳେ ଏବେ ବି ୬ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇ ରହିଛନ୍ତି। ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ଉଦ୍ଧାରକାର୍ଯ୍ୟ ବି ଜୋରସୋରରେ ଆଗେଇ ଚାଲିଛି ।
ଏବେ ବି ରାଜ୍ୟରେ ୧୧ ଜିଲ୍ଲାରେ ୫୦୬ଟି ଗାଁର ମୋଟ ୬,୨୭, ୮୭୪ ଲୋକ ପ୍ରଭାବିତ ଅଛନ୍ତି। ଶନିବାର ଏହି ସୂଚନା ଦେଇଛି ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ। ରିପୋର୍ଟରେ କୁହାଯାଇଛି ଯେ ବଜାଲି, ଚାଚର, ଚିରାଙ୍ଗ, ଦିବ୍ରୁଗଢ଼, ଦିମା ହସାଓ, ଗୋଲଘାଟ, ହାଏଲକାଣ୍ଡୀ,ହୋଜାଇ, କମ୍ପ୍ରୁପ, କରୀମଗଞ୍ଜ, ମୋରୀଗାଓଁ, ନଗାଁଓ, ଶିବସାଗର ଏବଂ ତମଲୁପୁର ବନ୍ୟାରେ ବୁଡ଼ି ରହିଛି।
ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଚାଚର ଜିଲ୍ଲା। ବନ୍ୟା ପ୍ରଭାବିତ ୬.୨ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଚାଚର ଜିଲ୍ଲାରୁ ୪,୨୮,୮୨୭ ଲୋକ ପ୍ରଭାବିତ ହୋଇଛନ୍ତି। ଏହାପଛକୁ ମୋରିଗାଓଁରୁ ୧,୪୩,୪୨୨, ନାଗାଓଁ ୩୪,୭୨୩ ଲୋକ ପ୍ରଭାବିତ ଅଛନ୍ତି। ୬ ଜିଲ୍ଲାର ୮,୯୧୨ ହେକ୍ଟର ଫସଲ ବନ୍ୟା ପାଣିରେ ବୁଡ଼ି ରହିଛି। ତେବେ ୨୪ ଘଣ୍ଟା ମଧ୍ୟରେ କାହାର ବି ମୃତ୍ୟୁ ହୋଇନାହିଁ ବୋଲି ଏଏସଡିଏମଏ ରିପୋର୍ଟ ପ୍ରକାଶ କରିଛି। ବନ୍ୟାରେ ଭୂସ୍କଳନ ଯୋଗୁ ମୋଟ ମୃତ୍ୟୁ ସଂଖ୍ୟା ୧୯୦ ହୋଇଛି। ଆଗକୁୂ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିବ । ବନ୍ୟାଜଳରେ ଫସିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ, ସେଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇଛି ବୋଲି କୁହାଯାଉଛି ।