ଓଡ଼ିଆ ନ୍ୟୁଜ୍:କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ସ୍ଥିତି। ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା। ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଜିଲାର ତଳିଆ ଅଞ୍ଚଳଗୁଡ଼ିକ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ରାଜନଗର, ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ଅନେକ ଗାଁ ପାଣି ଘେରରେ ରହିଛି, ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ଏବଂ ବିଭିନ୍ନ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ।
ଆଳି ବ୍ଲକର ୧୨ଟି ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ମାନପୁର-ଗୋବିନ୍ଦପୁର ରାସ୍ତାରେ ପ୍ରାୟ ୭ ଫୁଟ୍ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେଉଛି। ରାଜନଗର ଅଞ୍ଚଳର ପ୍ରାୟ ୩୦ଟି ଗାଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି, ଯାହା ଫଳରେ ଲୋକମାନେ ଡଙ୍ଗା ଜରିଆରେ ଯାତାୟାତ କରୁଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି ଏବଂ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି।