ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇଥିବା ନାଗରିକମାନଙ୍କୁ କେନ୍ଦ୍ର ସରକାର ନଗଦ ପୁରସ୍କାର ରାଶି ସହ ପ୍ରଶଂସା ପତ୍ର ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ଜଣେ ଭଲ ନାଗରିକ(ପୁରୁଷ କିମ୍ବା ମହିଳା)ଙ୍କୁ ବର୍ଷକୁ ସର୍ବାଧିକ ପାଞ୍ଚ ଥର ୫୦୦୦ ଟଙ୍କା କରି ପୁରସ୍କାର ରାଶି ପ୍ରଦାନ କରି ପାରିବେ। ପ୍ରତିବର୍ଷ ଆୟୋଜିତ ହେଉଥିବା ସରକାରୀ ସମ୍ମାନ ସମାରୋହରେ ତାଙ୍କୁ ଏକ ଲକ୍ଷ ଟଙ୍କା ନଗଦ ପ୍ରଦାନ କରାଯିବ। ଏହି ଯୋଜନା ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହାର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିବା ଲୋକଙ୍କୁ ଅଣଦେଖା ନ କରି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା କିମ୍ବା ଟ୍ରମା କେନ୍ଦ୍ରକୁ ନେଇଯିବାକୁ ସାଧାରଣ ନାଗରିକଙ୍କୁ ଉତ୍ସାହିତ କରିବା।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୋମବାର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଏକ ଘଣ୍ଟା ଭିତରେ(ଗୋଲ୍ଡେନ୍ ଆଓ୍ଵାର) ହସ୍ପିଟାଲ ପହଞ୍ଚାଇଥିବା ନାଗରିକଙ୍କ ପାଇଁ ପୁରସ୍କାର ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛି। ସୂଚନାଯୋଗ୍ୟ, ଗତ ବର୍ଷ ମନ୍ତ୍ରଣାଳୟ ସଡ଼କ ସୁରକ୍ଷା ଉପରେ କାମ କରୁଥିବା ଟ୍ରଷ୍ଟ, ଏନଜିଓ ଓ ଅନୁଷ୍ଠାନଗୁଡ଼ିକୁ ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ଏବଂ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ଯୋଜନା ଆରମ୍ଭ କରିଛି।
ନୂତନ ଯୋଜନା ଅନୁସାରେ କୌଣସି ପୁରୁଷ କିମ୍ବା ମହିଳାଙ୍କୁ ଗୋଟିଏ ଥର ସାହାଯ୍ୟ ପାଇଁ ୫୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ୧୫ ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ଉଲ୍ଲେଖ କରାଯାଇଛି ଯେ ଏହି ନଗଦ ଯୋଜନା ପାଇଁ ରାଜ୍ୟ ସରକାରମାନେ ପୃଥକ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ସେମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବେ।