ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ସରକାର ବିରୋଧି ମୁହାଁମୁହିଁ ହୋଇଛନ୍ତି । ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ନେଇ ଶାସକ ବିଜେଡି ଉଭୟ ବିଜେପି ଓ କଂଗ୍ରେସକୁ ସମାଲୋଚନା କରିଛି । ବିଜେଡି କହିଛି, ମହାନଦୀ ଓଡ଼ିଶାର ଜୀବନ ରେଖା । ଛତିଶଗଡ଼ର ବେଆଇନ୍ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡ଼ୁଥିବା ବେଳେ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ଜଡ଼ିତ ମହାନଦୀ । ୨୦୧୭ରେ ଛତିଶଗଡ଼ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିଲା । ସେବେଠୁ ଓଡ଼ିଶା ନିର୍ମାଣକୁ ବିରୋଧ କରୁଥିଲେ ବି ଛତିଶଗଡ଼ ସରକାର ବନ୍ଦ କରୁ ନାହାନ୍ତି ।ଶେଷରେ ମହାନଦୀ ଜଳ ବିବାଦର ସମାଧାନ ଲାଗି ୨୦୧୮ରେ ଟ୍ରିବୁନାଲ୍ ଗଠିତ ହୋଇଥିଲା । ହେଲେ ୫ ବର୍ଷ ପରେ ବି କୌଣସି ଅଗ୍ରଗତି ନାହିଁ । ଦିନକୁ ଦିନ ମହାନଦୀ ଶୁଖୁଥିବା ବେଳେ ବିଜେପିର କୌଣସି ଚିନ୍ତା ନାହିଁ । ଅନ୍ୟପଟେ ଛତିଶଗଡ଼ରେ କଂଗ୍ରେସର ସରକାର ଥିଲେ ବି ଓଡ଼ିଶା କଂଗ୍ରେସ ନେତା ଚୁପ୍ ରହୁଥିବା କହିଛି ବିଜେଡି । ଯାହାକୁ ନେଇ ବିଜେପି ଓ କଂଗ୍ରେସକୁ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ବୋଲି ବିଜେଡି କହିବା ସହ ସେମାନଙ୍କୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଛି । ବିଜେପି କାହିଁକି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ ପାଇଁ କହୁ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି ।
ଯାହାର ଜବାବ ରଖି ବିଜେପି ନେତା ଦିଲୀପ ମଲ୍ଲିକ କହିଛନ୍ତି, ସବୁ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ସବୁଥିରେ ଚିଠି ଲେଖୁଛନ୍ତି, କେବେ ମହାନଦୀ ପ୍ରସଙ୍ଗକୁ ନେଇ ପ୍ରଧାନମମନ୍ତ୍ରୀଙ୍କୁ ଭେଟିବାକୁ ଯାଇଛନ୍ତି କି ? କେବେ ଜଳ ସମ୍ପଦ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କି ? କେବଳ ବୟାନ ବାଜି କରୁଛନ୍ତି । ଭୁଲ୍ କରିକି ଅନ୍ୟ ଉପରେ ଦୋଷ ଲଦୁଛନ୍ତି । ଓଡ଼ିଶାବାସୀ କେବେ କ୍ଷମା ଦେବେନି । ବିଜେପି ଓ କଂଗ୍ରେସକୁ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ବିଜେଡି କହିଥିବା ବେଳେ ବିଜେପି ନେତା ପ୍ରଶ୍ନ କରିଛନ୍ତି ବିଜେଡି ଆଗ କହୁ ସିଏ କେଉଁ ପାର୍ଶ୍ୱ । ବିଜେଡି ୨୩ ବର୍ଷ ହେଲା ସରକାର ଥିବା ବେଳେ ରାଜ୍ୟର ଦାୟିତ୍ୱ ଓ ସୁରକ୍ଷା କାହାର ? କେବଳ ବୟାନବାଜି କଲେ ଓଡ଼ିଶା କି ମହାନଦୀ ସୁରକ୍ଷିତ ରହିବ ନାହିଁ ବୋଲି ବିଜେପି କହିଛି । ସେପଟେ ବିଜେଡିର ଏଭଳି ଅଭିଯୋଗକୁ କାଉଣ୍ଟର କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ମହାନଦୀ ଉପରେ ଛତିଶଗଡ ବନ୍ଧ ବାନ୍ଧିବା ପ୍ରସଙ୍ଗରେ ପ୍ରଥମେ କଂଗ୍ରେସ ହିଁ ପ୍ରଶ୍ନ ଉଠାଇଥିଲା । ଏପରିିକି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ତକ୍ରାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର । କିନ୍ତୁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିନଥିଲେ । ତେଣୁ ବାଧ୍ୟହୋଇ ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏହି ବୈଠକରେ ବିଜେଡିରୁ କେହି ଯୋଗ ଦେଲେନି । ଏବେ କଣ କହୁଛନ୍ତି କଂଗ୍ରେସ ପାଟି ଖୋଲିନି । ଯେତେବେଳେ ବିଧାନସଭାରେ ଏ ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା ସେତେବେଳେ ତତ୍କାଳୀନ ଜଳସମ୍ପଦ ସଚିବ କହିଥିଲେ ଛତିଶଗଡ ଶହେ ବନ୍ଧ ବାନ୍ଧିଲେ ବି ଓଡିଶା ଉପରେ ପ୍ରଭାବ ପଡ଼ିବନି । କିନ୍ତୁ ଏବେ ସ୍ଥିତି କଣ ? ମହାନଦୀରେ ଖୁବଶୀଘ୍ର ଆଡିବନ୍ଧ ବାନ୍ଧିବାକୁ କହିଥିଲେ । କିନ୍ତୁ ଏଯାଏଁ ଗୋଟିଏ ଆଡିବନ୍ଧ ହେଲାଣି କି? ୨୨ ବର୍ଷ ଭିତରେ କେତୋଟି ଆଡିବନ୍ଧ ଏ ସରକାର କରିଛି ତାହାର ଉତ୍ତର ଦିଅନ୍ତୁ । କଂଗ୍ରେସ ଦଳ ସବୁବେଳେ ଏଥିପାଇଁ ବିଧାନସଭାରେ ପାଟି ଖୋଲିଛି । ବିଜେଡି ଏ ପ୍ରସଙ୍ଗରେ ସବୁବେଳେ ଡ୍ରାମା କରୁଛି ।