ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହ । ଗତକାଲି କୁରୁକ୍ଷେତ୍ର ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି ଯୋଦ୍ଧା ପଦ୍ମଶୀ କୌର ସିଂହ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବିୟୋଗ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କୌର ସିଂହ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ମୁଷ୍ଟି ଯୋଦ୍ଧା ମହମ୍ମଦ ଅଲୀଙ୍କୁ ପରାସ୍ତ କରିବାର ଗୌରବ ଅର୍ଜନ କରିଥିଲେ।

ପଞ୍ଜାବର ସଙ୍ଗରୁର ଜିଲ୍ଲା ଖାନାଲ ଖୁର୍ଦରେ ରହୁଥିବା ପୂର୍ବତନ ସେନା ଯବାନ କୌର ସିଂହ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। କୌର ସିଂହଙ୍କ ଅନ୍ତରଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମାନ। ୧୯୮୨ ମସିହା ଦିଲ୍ଲୀରେ ଆୟୋଜିତ ହୋଇଥିବା ଏସିଆନ ଗେମ୍ସରେ  କୌର ସିଂହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ୧୯୮୦ ମସିହାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ କିମ୍ବଦନ୍ତୀ ବକ୍ସର ମହମ୍ମଦ ଅଲୀଙ୍କ ସହ ୪ ରାଉଣ୍ଡ ବକ୍ସିଂ କରି ତାଙ୍କୁ ହରାଇ ଦେଇଥିଲେ ଶ୍ରୀ ସିଂହ। କୌର ସିଂହ ୧୯୮୨ରେ ଅର୍ଜୁନ ପୁରସ୍କାର ଓ ୧୯୮୩ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତେବେ ବକ୍ସର କୌର ସିଂହଙ୍କର ପରଲୋକ ସମଗ୍ର କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.