ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି , ରାଜନୈତିକ ତାତି ସେତେ ବଢିଚାଲିଛି । ଦିନକୁ ଦିନ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଗତକାଲି ଏକ ନିର୍ବାଚନ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବିଷାକ୍ତ ସାପ’ କହିଥିଲେ । ଏଥିରେ ରାଗି ନିଆଁ ବାଣ ହୋଇ ଯାଇଥିବା ଜଣେ ବିଜେପି ବିଧାୟକ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ‘ବିଷ କନ୍ୟା’ ବୋଲି ସମ୍ବୋଧନ କରିଛନ୍ତି । କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଜେପି ବିଧାୟକ ବାସନ ଗୌଡା କୌପ୍ପଲରେ ଆଜି ଏକ ଜନସଭାକୁ ସମ୍ବୋଧନ କରୁଥିଲେ । ଏହି ସମୟରେ ସେ ସୋନିଆ ଗାନ୍ଧିଙ୍କୁ ବିଷ କନ୍ୟା ବୋଲି ସମ୍ବୋଧନ କରିବାକୁ ପଛାଇ ନାହାନ୍ତି ।
ଏ ନେଇ ସେ କହିଛନ୍ତି, ସମଗ୍ର ବିଶ୍ୱ ମୋଦିଙ୍କୁ ସମ୍ମାନ ଦେଉଛି । ଯେଉଁ ଆମେରିକା ଦିନେ ମୋଦିଙ୍କୁ ଭିସା ଦେବାକୁ ମନା କରିଥିଲା, ପରେ ସେ ତାଙ୍କ ସମ୍ମାନରେ ରେଡ କାର୍ପେଟ ବିଛାଇ ଦେଇଥିଲା । ହେଲେ ଏବେ ଖଡଗେ ମୋଦିଙ୍କୁ କୋବ୍ରା ସାପ ସହ ତୁଳନା କରୁଛନ୍ତି ଓ ସେ ବିଷ ବାହାର କରିବେ ବୋଲି କହୁଛନ୍ତି । କିନ୍ତୁ ଯେଉଁ ପାର୍ଟିରେ ଆପଣ ନାଚୁଛନ୍ତି, ସେ ପାର୍ଟିର ସୋନିଆ ଗାନ୍ଧି ବିଷ କନ୍ୟା ନୁହନ୍ତି କି? ଚୀନ୍ ଓ ପାକିସ୍ତାନ ସହ ସେ ଏଜେଣ୍ଟ ରୂପେ କାମ କରୁ ନ ଥିଲେ କି? ବୋଲି ସେ ପ୍ରଶ୍ନ କରୁଛନ୍ତି ।
ଗତକାଲି ଖଡଗେ କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧନ କରି କହିଥିଲେ, ମୋଦି ବିଷାକ୍ତ ସାପ ଭଳି । ଆପଣ ଏହାକୁ ବିଷ ଭାବନ୍ତୁ କି ନ ଭାବନ୍ତୁ, କିନ୍ତୁ ଆପଣ ଏହାକୁ ଚାଟିବା ମାତ୍ରେ ମରିଯିବେ । ଆପଣ ଭାବିପାରନ୍ତି ଯେ କ’ଣ ଏହା ସତରେ ବିଷ? ମୋଦି ଜଣେ ଭଲ ଲୋକ । ସେ ଯାହା ଦେଇଛନ୍ତି, ସେଗୁଡିକୁ ଆମେ ଦେଖିବା । ଆପଣ ତା’କୁ ଯେମିତି ଚାଟିଦେବେ ସେମିତି ପୂରା ଶୋଇଯିବେ ।”ବିଜେପି ଏହାର ତୀବ୍ର ସମାଲୋଚନା କରିବା ସହ ଖାଡଗେଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ।