ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମାନହାନୀ ମାମଲାରେ ରାହୁଲ୍ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟ ଦେଇଥିବା ରାୟକୁ ଆଜି ଗୁଜରାଟ ହାଇକୋର୍ଟ କାଏମ୍ ରଖିଛନ୍ତି। ସେସନ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ରାହୁଲ୍ ଗାନ୍ଧୀ ଫାଇଲ୍ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଖାରଜ କରି ଉକ୍ତ ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶ ସମୁଚ୍ଚିତ, ଏହି ଆଦେଶରେ ହସ୍ତକ୍ଷେପ କରିବା ଅନାବଶ୍ୟକ। ତେଣୁ, ଏହି ଆବଦେନକୁ ଅଗ୍ରାହ୍ୟ କରାଗଲା। ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ୍ ଗାନ୍ଧୀଙ୍କ ନାଁରେ ଅନ୍ୟୂନ ୧୦ଟି ଅପରାଧିକ ମାମଲା ପଡ଼ିରହିଛି। ଆଜି ଚୂଡ଼ାନ୍ତ ରାୟ ଶୁଣାଇ ବିଚାରପତି ହେମନ୍ତ ପ୍ରଚାଚକ କହିଲେ, ଏବକାର ମାମଲାକୁ ଛାଡ଼ି ତାଙ୍କ ବିରୋଧରେ ଆହୁରି କିଛି ମାମଲା ରହିଛି। ସେଥିରୁ ଗୋଟିଏ ମାମଲା ଫାଇଲ୍ କରିଛନ୍ତି ବୀର ସବର୍କରଙ୍କ ନାତି। ସେ ଯାହାହେଉ, ଦଣ୍ଡାଦେଶ ଦିଆଯାଇ ଅନ୍ୟାୟ କରାଯାଇନାହିଁ। ହାଇକୋର୍ଟଙ୍କ ରାୟକୁ ସ୍ବାଗତ ଜଣାଇ ‘ବିଜେପି’ର ଜାତୀୟ ମୁଖପାତ୍ର ଶେଜାଦ୍ ପୁନାୱାଲା ଟୁଇଟ୍ କରି କହିଛନ୍ତି, ସତ୍ୟମେବ ଜୟତେ। ସେସନ୍ କୋର୍ଟ ପରେ ଏବେ ହାଇକୋର୍ଟ ରାହୁଲ୍ ଗାନ୍ଧୀଙ୍କ ପିଟିସନ୍ ଖାରଜ କଲେ। ଅପରାଧ ଗୁରୁତର ବୋଲି କହିଲେ। ରାହୁଲ୍ ଗାନ୍ଧୀ ଜଣେ ସିରିଏଲ୍ ଅପରାଧୀ। ‘ଓବିସି’ ସମାଜକୁ କ୍ଷମା ମାଗିବା ପରିବର୍ତ୍ତେ କଂଗ୍ରେସ ବହାଦୁରି ବଖାଣୁଛି। ବିକଳ୍ପ ଭାବେ ଏହି ମାମଲାରେ ରାହୁଲ୍ ଗାନ୍ଧୀ ଏଥର ସୁପ୍ରିମ୍ କୋର୍ଟରେ ଆବେଦନ କରିପାରିବେ।
ଉଲ୍ଲେଖଯୋଗ୍ୟ, ମାର୍ଚ ୨୩ ତାରିଖ ଦିନ ସୁରତ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମା ରାହୁଲ୍ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହା ପରେ ଅଦାଲତ ରାହୁଲ୍ଙ୍କୁ ଜାମିନ ମଞ୍ଜୁର କରିଥିଲେ। ଉପରୋକ୍ତ ଆବେଦନକୁ ଚାଲେଞ୍ଜ୍ କରି ଗାନ୍ଧୀଙ୍କ ଓକିଲ କୀର୍ତ୍ତି ପାନ୍ୱାଲା ବିଚାରପତି ଆର୍. ପି. ମୋଗେରାଙ୍କ ସୁରତ ଆଡିସ୍ନାଲ୍ ସେସନ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ସେ ମଧ୍ୟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ। ତା’ପରେ ଗାନ୍ଧୀ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାରରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ କହିଥିଲେ, ସବୁ ଚୋରଙ୍କର ସାଙ୍ଗିଆ ମୋଦି ହେଲା କେମିତି। ଏହି ଟିପ୍ପଣୀ ଲାଗି ରାହୁଲ୍ଙ୍କ ନାମରେ ମାମଲା ରୁଜୁ କରିଥିଲେ ଗୁଜରାଟର ‘ବିଜେପି’ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ପଟେଲ୍ ।