ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ‘ଡେମୋକ୍ରାଟିକ ଆଜାଦ୍ ପାର୍ଟି’ର ଅଧ୍ୟକ୍ଷ ଗୁଲାମନବୀ ଆଜାଦଙ୍କ ବିସ୍ଫୋରକ ବୟାନ । ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲ୍ ଏସିଆନେଟ୍କୁ ଏକ ସାକ୍ଷାତକାରରେ ଗୁଲାମନବୀ ଆଜାଦ କହିଛନ୍ତି ଦେଶ ବିିଦେଶର ଏକାଧିକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ରାହୁଲ ଗାନ୍ଧୀଙ୍କ ସମ୍ପର୍କ ରହିଛି । ବ୍ୟବସାୟୀ ଗୌତମ ଆଦାନିଙ୍କ ସହ ଗୁଲାମନବୀଙ୍କ ସମ୍ପର୍କ ଥିବା କିଛିଦିନ ତଳେ ରାହୁଲ ମନ୍ତବ୍ୟ ଦେଇଥିଲେ । ଏ ସମ୍ପର୍କରେ ସୋମବାର ନିଜ ପ୍ରତିକ୍ରିୟାରେ ଗୁଲାମନବୀ କହିଥିଲେ ରାହୁଲଙ୍କ ଏକାଧିକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି । କେବଳ ଦେଶ ନୁହେଁ; ବିଦେଶରେ ମଧ୍ୟ ରାହୁଲଙ୍କ ଏପରି ବ୍ୟବସାୟୀଙ୍କ ସହିତ ସମ୍ପର୍କ ରହିଛି ।
ସାକ୍ଷାତକାର ଦେଇ ଗୁଲାମନବୀ ଆହୁରି ବି କହିଥିଲେ, କାହା ବିରୋଧରେ ମନ୍ତବ୍ୟ ଦେବା ପୂର୍ବରୁ ରାହୁଲ ପ୍ରଥମେ ନିଜକୁ ପରଖି ନେବା ଉଚିତ୍ । ତାଙ୍କର ଦେଶ ବିଦେଶରେ ଅନେକ ଅବାଞ୍ଛିତ ବ୍ୟବସାୟୀଙ୍କ ସହ ସମ୍ପର୍କ ରହିଛି । ଏହାର ଅତି କମ୍ରେ ୧୦ଟି ଉଦାହରଣ ତାଙ୍କ ନିକଟରେ ରହିଛି । ଦେଶରେ କଂଗ୍ରେସ ଦଳ ବୋଲି କିଛି ବାକି ରହିନାହିଁ । କେତେକ ବ୍ୟକ୍ତିଙ୍କ ସ୍ବେଚ୍ଛାଚାରୀ ମନୋଭାବ ଯୋଗୁଁ ଦଳର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସେ ଅଭିଯୋଗ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ପରେ ରାହୁଲଙ୍କ ଲୋକପ୍ରିୟତା ବଢ଼ିଥିବା କେତେକ ବ୍ୟକ୍ତି କହୁଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ ।
କହିରଖେ କି, ସେପ୍ଟେମ୍ବର ୭ରୁ କଂଗ୍ରେସର ସବୁଠାରୁ ଲମ୍ବା ମାର୍ଚ୍ଚ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧୀ । ଅପରାହ୍ଣରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ରାହୁଲ ଗାନ୍ଧି । ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭ ହୋଇଥିଲା । ଏହାକୁ ନେଇ ଦଳର ନେତା ଓ କର୍ମୀ ବେଶ୍ ଉତ୍ସାହିତ ଥିଲେ । ୧୫୦ଦିନରେ କଂଗ୍ରେସ ସମୁଦାୟ ୩ହଜାର ୫୭୦ କିଲୋମିଟର ଯାତ୍ରା କରି ଭାରତ ଯୋଡ ଯାତ୍ରା ସାରିଛି । ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଏହି ଯାତ୍ରା ଶେଷ ହୋଇଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୨ଟି ପର୍ଯ୍ୟାୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିଲା । ଏହି ସମୟରେ କୌଣସି ନେତା ହୋଟେଲରେ ରହିନଥିଲେ । କଣ୍ଟେନରରେ ରାତ୍ରି ଯାପନ କରିଥିଲେ କଂଗ୍ରେସ ନେତା ଓ କର୍ମୀ । ଏଥିପାଇଁ ୬୦ଟି କଣ୍ଟେନର ବ୍ୟବସ୍ଥା କରାଯାଇଥିଲା ।
ଏପଟେ, କିଛିଦିନ ପୂର୍ବରୁ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ ପୁଣିଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି । ଏନେଇ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା ଚଳାଇଛନ୍ତି । ପ୍ରଥମେ ଆଜାଦଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ ପ୍ରୟାଶ କରାଯାଉଛି । ସୂଚନା ଥାଉକି ଚଳିତ ବର୍ଷ ଅଗଷ୍ଟମାସରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ କ୍ଷମତା ଉପରେ ପ୍ରଶ୍ନ ଉଠାଇ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ କିଛି ଚାଟୁକାର ଘେରି ରହିଛନ୍ତି । କଂଗ୍ରେସ ଛାଡିବାର କିଛିଦିନ ପରେ ଜମ୍ମୁ-କାଶ୍ମୀରରେ ଆଜାଦ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ଏହି ଦଳର ନାମ ଆଜାଦ ଡେମୋକ୍ରେଟିକ ଦଳ ବୋଲି ନାମିତ କରିଥିଲେ । ଆଜାଦଙ୍କ ଏଭଳି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା । ଦଳର କିଛି ବରିଷ୍ଠ ନେତା ମଧ୍ୟ ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ ।