ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଅନଲାଇନରେ ସିଙ୍ଗଡ଼ା ମଗାଇବା ପଡ଼ିଲା ମହଙ୍ଗା । ଆକାଉଣ୍ଟରୁ ଗାଏବ ହୋଇଗଲା ୧.୪୦ ଲକ୍ଷ । ଏଭଳି ଘଟଣା ଘଟିଛି ମୁମ୍ବାଇ ସାୟନର ଜଣେ ଡାକ୍ତରଙ୍କ ସହ । ସାଇବର ଠକ ଉଡାଇ ନେଲେ ଲକ୍ଷାଧିକ ଟଙ୍କା । ୨୭ ବର୍ଷୀୟ ଜଣେ ଡାକ୍ତର ନିଜ ସାଙ୍ଗଙ୍କ ସହ ପିକ୍ନିକ୍ରେ ଯିବା ପୂର୍ବରୁ କିଛି ସ୍ନାକ୍ସ ସାଙ୍ଗରେ ନେଇ ଯିବାକୁ ଚିନ୍ତା କଲେ । ଏଥି ନିମନ୍ତେ ସେ ଏକ ରେଷ୍ଟୁରାଣ୍ଟକୁ ଫୋନ୍ କରି ୨୫ ପ୍ଲେଟ ସିଙ୍ଗଡ଼ା ପଠାଇବାକୁ ଅର୍ଡର କଲେ ।
ଏଥି ନିମନ୍ତେ ପ୍ରଥମେ ସେ ୧୫୦୦ ଟଙ୍କା ପେମେଣ୍ଟ ମଧ୍ୟ କଲେ । ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା । ଟଙ୍କା ପହଞ୍ଚି ନ ଥିବା ବେଳେ ଅନ୍ୟ ଏକ ଫୋନ୍ ନମ୍ବରରେ ରିକୁଏଷ୍ଟ ପଠା ଯାଇଥିଲା । ଏହାପରେ ଡାକ୍ତର ଜଣକ ପୁଣି ଥରେ ୧୫ ଶହ ଟଙ୍କା ପେମେଣ୍ଟ କରିଥିଲେ । ମାତ୍ର ଏହାପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ଥରକୁ ଥର ଟଙ୍କା କଟିବାକୁ ଲାଗିଲା ।
ଏଥିସହ ଦେଖୁ ଦେଖୁ ତାଙ୍କ ଆକାଉଣ୍ଟରୁ ସମୁଦାୟ ୧ ଲକ୍ଷ ୪୦ ହଜାର ଟଙ୍କା କଟିଗଲା । ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍ କରି ଦେଲେ । ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ । କେଇଏମ ହସ୍ପିଟାଲରେ କାର୍ଯ୍ୟରତ ୨୭ ବର୍ଷିୟ ଡାକ୍ତର ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ।