ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍ । ଝାଡଖଣ୍ଡରେ ସରକାର ଗଠନ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ହେବ । ଆଜି ସକାଳ ୧୧ଟାରେ ବହୁମତର ପ୍ରମାଣ ଉପସ୍ଥାପନ କରିବେ । ଗୃହରେ ବହୁମତ ସାବ୍ୟସ୍ତ ପରେ ହେମନ୍ତ ସୋରେନ କ୍ୟାବିନେଟ ମନ୍ତ୍ରୀମାନେ ରାଜଭବନରେ ଅପରାହ୍ନ ୩ଟା ୩୦ ମିନିଟରେ ଶପଥ ଗ୍ରହଣ କରିପାରନ୍ତି ।
ତେବେ କେଉଁମାନେ ମନ୍ତ୍ରୀ ହେବେ ସେନେଇ ଶାସକ ଦଳରେ କଳ୍ପନାଜଳ୍ପନା ଲାଗି ରହିଛି । ଏଥର କ୍ୟାବିନେଟରେ କିଛି ପରିବର୍ତ୍ତନ କରିପାରନ୍ତି ହେମନ୍ତ । ୬-୪-୧ ଫର୍ମୁଲାରେ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି । ଅର୍ଥାତ ହେମନ୍ତଙ୍କ କ୍ୟାବିନେଟରେ ୬ଟି ଜେଏମଏମ ବିଧାୟକ ଓ ୪କଂଗ୍ରେସ ବିଧାୟକ ଏବଂ ୧ଆରଜେଡି ବିଧାୟକଙ୍କୁ ସାମିଲ କରାଯାଇପାରେ । ଗତକାଲି ଶାସକ ଦଳର ବିଧାୟକମାନେ ବସି ଆଲୋଚନା କରିଥିଲେ । ଏହି ବୈଠକରେ ବହୁମତ ପରୀକ୍ଷା ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଆଲୋଚନା ହେଇଥିବା ଜଣାପଡିଛି । ଅନ୍ୟପଟେ ଝାଡଖଣ୍ଡରେ ବିରୋଧୀ ଆସନରେ ବସିଥିବା ବିଜେପି ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ପ୍ରଦୀପ ଯାଦବଙ୍କ କହିବା କଥା, ଗତକାଲିର ବୈଠକରେ ଦଳ ବିଧାନସଭାରେ ଶକ୍ତି ପରୀକ୍ଷଣ ଏବଂ କ୍ୟାବିନେଟ୍ ବିସ୍ତାର ନେଇ ଆଲୋଚନା କରିଛି । ତେବେ ଗୃହରେ ବହୁମତ ପ୍ରମାଣ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ଥିବା ସେ ଦାବି କରିଛନ୍ତି । ଅନ୍ୟପଟେ ଆଜିର ଅଧିବେଶନରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.