ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ କରନାହିଁ, ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟ ଏଏସଓ ପରୀକ୍ଷା ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ପରବର୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶନ ଉପରେ ରୋକ ଲଗାଇଛନ୍ତି। ହାଇକୋର୍ଟଙ୍କ ବିନା ଅନୁମତିରେ ଏହି ଚୂଡ଼ାନ୍ତ ଫଳ ପ୍ରକାଶିତ ହୋଇ ପାରିବ ନାହିଁ କିନ୍ତୁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।ଆସନ୍ତା ୪ ତାରିଖରେ ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ୱରର ୭ ଟି ଟେକନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ ତାହା ଜାରି ରହିବ। ଏଏସଓ ପରୀକ୍ଷାରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଧାର୍ଯ୍ୟ ହୋଇଥିବା କଟ ଅପ ମାର୍କକୁ ନେଇ ରଜତ କୁମାର ମିଶ୍ର ଓ ଅନ୍ୟ କିଛି ଆଶାୟୀଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। ରୂଲ ବାହାରକୁ ଯାଇ କଟ ଅପ ମାର୍କ ଓପିଏସସି ଧାର୍ଯ୍ୟ କରିଛି ବୋଲି ମାମଲାରେ ଦର୍ଶାଯାଇଛି।
ଏଭଳି ପିଟିସନ ଉପରେ ଲୋକସେବା ଆୟୋଗକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ। ଡିସେମ୍ବର ୨୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ବେଳେ ତା ପୂର୍ବରୁ ଜବାବ ରଖିବ ଓପିଏସସି। ଓପିଏସସି ଜବାବ ରଖିବା ପରେ ୩ ଦିନ ମଧ୍ୟରେ ରିଜେଣ୍ଡର ଦାଖଲ କରିବେ ଆବେଦନକାରୀ। ପୂର୍ବରୁ ଏହି ଏଏସଓ ପରୀକ୍ଷାକୁ ନେଇ ହୋଇଥିବା ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନ ଥିଲେ ହାଇକୋର୍ଟ।ଏହା ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଲିଖିତ ପରୀକ୍ଷା ରେଜଲ୍ଟରେ ମଧ୍ୟ ହସ୍ତକ୍ଷେପ କରି ନ ଥିଲେ ଅଦାଲତ। ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ସଂକ୍ରାନ୍ତୀୟ ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ପିଟିସନ ଦାୟର ହୋଇଥିଲା।
ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କିଛି ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରିଥିଲେ। ଓପିଏସସି ଦ୍ଵାରା ନିକଟରେ ଏଏସଓ ପରୀକ୍ଷାର ଲିଖିତ ରେଜଲ୍ଟ ପ୍ରକାଶିତ ହୋଇଛି। ୧ଲକ୍ଷ ୪୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ନଭେମ୍ବର ୧୪ ତାରିଖ ଠାରୁ ୧୮ ପର୍ଯ୍ୟନ୍ତ ଡ଼କୁମେଣ୍ଟ ଭେରିଫିକେସନ ରହିଥିବା ବେଳେ ୧୧୦୪ ଜଣଙ୍କ ମଧ୍ୟରୁ ୫୯ ଜଣ ଅନୁପସ୍ଥିତ ଥିଲେ। ଏହା ପରେ ଆସନ୍ତା ୪ ତାରିଖରେ ୧୦୪୫ ଜଣ ପ୍ରାର୍ଥୀଙ୍କର କମ୍ପ୍ୟୁଟର ସ୍କିଲ ଟେଷ୍ଟ କରାଯାଇ ଚୂଡାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା କଥା। ୭୯୬ ଟି ଏଏସଓ ପଦଵୀ ପାଇଁ ଓପିଏସସି ଏହି ପରୀକ୍ଷା କରୁଛି। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।