ପର୍ଶୁରାମଙ୍କ ମୂର୍ତ୍ତିକୁ କାଢ଼ି ବିଜୁ ମୂର୍ତ୍ତି ଲଗାଇବା ପ୍ରତିବାଦରେ ୩ରେ ଅଖଚକ ବନ୍ଦ ଡାକରା ଦେଲା ହିନ୍ଦୁ ଜାଗରଣ ମଞ୍ଚ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପର୍ଶୁରାମଙ୍କ ମୂର୍ତ୍ତିକୁ କାଢ଼ି ବିଜୁ ମୂର୍ତ୍ତି ଲଗାଇବା ପ୍ରତିବାଦରେ ୩ରେ ଅଖଚକ ବନ୍ଦ ଡାକରା ଦେଲା ହିନ୍ଦୁ ଜାଗରଣ ମଞ୍ଚ। ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି ବିଜେପି, କଂଗ୍ରେସ ସହିତ ବିଭିନ୍ନ ସଂଗଠନ। ଆଜି ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଏନେଇ ସୂଚନା ଦିଆଯାଇଛି।ସଂଗଠନ ପକ୍ଷରୁ କୁହାଯାଇଛି, ଅଗଷ୍ଟ ୩ରେ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକରେ ପର୍ଶୁରାମଙ୍କ ମୂର୍ତ୍ତିକୁ ଉପାଡ଼ି ଫୋପାଡ଼ିବା ପରେ ଏହି ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼ ବ୍ଲକ ଛକରେ ୪ ବର୍ଷ ଧରି ପୂଜା ପାଉଥିବା ଭଗବାନ ପର୍ଶୁରାମଙ୍କ ଫଟୋଚିତ୍ର ଥିବା ମୂର୍ତ୍ତିକୁ ହଟାଇ ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଏହାର ପ୍ରତିବାଦରେ ଗତ ୧୫ ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯାଉଛି। ଏବେ ଆନ୍ଦୋଳନକୁ ତୀବ୍ର କରିଛି ହିନ୍ଦୁ ଜାଗରଣ ମଞ୍ଚ। ଶୀଘ୍ର ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିକୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରି ସେହି ସ୍ଥାନରେ ପର୍ଶୁରାମଙ୍କ ମୂର୍ତ୍ତି କିମ୍ବା ଫଟୋ ପୁନଃସ୍ଥାପନ କରିବା ପାଇଁ ଦାବି କରିଛି ହିନ୍ଦୁ ଜାଗରଣ ମଞ୍ଚ। ଏହି ଦାବି ନେଇ ଆସନ୍ତା ଅଗଷ୍ଟ ୩ ତାରିଖ ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ବିଜେପି, କଂଗ୍ରେସ ସହିତ ବିଭିନ୍ନ ସଂଗଠନ ସମର୍ଥନ ଦେଇଥିବା ହିନ୍ଦୁ ଜାଗରଣ ମଞ୍ଚ କହିଛି। ବନ୍ଦ ପାଳନ ବେଳେ ସ୍କୁଲ କଲେଜ, ସରକାରୀ ବେସରକାରୀ ଅଫିସ, ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ସେପଟେ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତବନୀ ଦେଇଛି ବଜରଙ୍ଗ ଦଳ। ପାଟଣାଗଡ଼ ଏନ୍ଏସିର ଅଧିକାରୀ କିମ୍ବା କର୍ମଚାରୀଙ୍କୁ ନଜଣାଇ ବେଆଇନ ଭାବରେ ବିଧାୟକ ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସ୍ଥାପନ କରିଥିବା ଏହି ଅନୁଷ୍ଠାନ ଅଭିଯୋଗ କରିଛି।
ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଅଭିଯୋଗରେ କୁହାଯାଇଛି, ହିନ୍ଦୁ ମାନଙ୍କ ଭଗବାନ ପର୍ଶୁରାମଙ୍କ ମୂର୍ତ୍ତି ଏଠାରେ ପୂଜା ପାଉଥିଲା। ହେଲେ ଏହି ମୂର୍ତ୍ତିକୁ ସେଠାରୁ କଢ଼ାଯାଇ ଏକ ଇଲେକ୍ଟ୍ରି ଟ୍ରାନ୍ସଫର୍ମରରେ ଟାଙ୍ଗୀ ଦେଇ ଭଗବାନଙ୍କୁ ଅପମାନ କରାଯାଇଛି। ଏହା କରି ହିନ୍ଦୁମାନଙ୍କ ଭାବନା ଓ ବିଶ୍ୱାସ ଉପରେ କୁଠାରଘାତ କରାଯାଇଛି। ହିନ୍ଦୁ ଭଗବାନଙ୍କୁ ଅପମାନିତ କରାଯାଇଛି। ପର୍ଶୁରାମଙ୍କ ମୂର୍ତ୍ତି ହଟାଇବା ସହ ଏଠାରେ ପୋତା ଯାଇଥିବା ଧର୍ମଧ୍ୱଜାକୁ ମଧ୍ୟ ଚିରି ଫୋପାଡ଼ି ଦିଆଯାଇଛି। ତେଣୁ ଆନ୍ଦୋଳନ ତୀବ୍ର ହେବ ବୋଲି ବଲାଙ୍ଗିର ହିନ୍ଦୁ ଜାଗରଣ ମଞ୍ଚ ଆବାହକ ଗୋପାଳଜୀ ପାଣିଗ୍ରାହୀ ଓ ବଜରଙ୍ଗ ଦଳ ପଶ୍ଚିମ ପ୍ରାନ୍ତ ମିଳନ ପ୍ରମୁଖ ସୌମ୍ୟରଂଜନ ମିଶ୍ର କହିଛନ୍ତି।