ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ବିଜେତା। ସ୍ପେନ୍ ହକି ମହାସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆଲୋଜନ କରାଯାଇଥିଲେ। ହେଲେ ପୁରୁଷ ଦଳ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି। ରବିବାର ତ୍ରିରାଷ୍ଟ୍ରୀୟ ମହିଳା ହକିର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ୩-୦ ଗୋଲ୍ରେ ଆୟୋଜକ ସ୍ପେନ୍କୁ ପରାସ୍ତ କରିଥିଲା। ଫଳରେ ଦଳ ୪ ମ୍ୟାଚ୍ରୁ ୨ ବିଜୟ ଓ ୨ ଅମୀମାଂସିତରୁ ୮ ପଏଣ୍ଟ ପାଇଁ ଟେବୁଲର ଶୀର୍ଷ ଟ୍ରଫି କରାୟତ୍ତ କରିଥିଲା। ଶନିବାର ଲାଲରେମସିଆମିଙ୍କ ହ୍ୟାଟ୍ରିକ୍ ବଳରେ ଇଂଲଣ୍ଡକୁ ମାତ୍ ଦେଇ ପ୍ରଥମ ବିଜୟ ପାଇଥିବା ଭାରତ ରବିବାର ମ୍ୟାଚ୍ର ପ୍ରଥମ କ୍ବାଟର୍ରରେ ହିଁ ଆୟୋଜକ ଦଳକୁ ଚାପରେ ରଖିଥିଲା। ଏହି କ୍ବାର୍ଟରରେ ସ୍ପେନ୍ର ଏକାଧିକ ସୁଯୋଗକୁ ନିଷ୍ଫଳ କରିଦେଇଥିଲେ ଭାରତୀୟ ଡିଫେଣ୍ଡର। ଫଳରେ ପ୍ରଥମ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ବନ୍ଦନା କାଟାରିୟା (୨୨ ମିନିଟ୍)ଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା।
ଚତୁର୍ଥ ତଥା ଶେଷ କ୍ବାର୍ଟରରେ ମୋନିକା (୪୮ ମିନିଟ୍) ଓ ଉଦିତା (୫୮ ମିନିଟ୍) ଦୁଇଟି ଗୋଲ୍ ଲଦି ଭାରତକୁ ୩-୦ରେ ବିଜୟ ଭେଟି ଦେଇଥିଲେ। ଚତୁଃରାଷ୍ଟ୍ରୀୟ ପୁରୁଷ ହକିର ରବିବାର ତୃତୀୟ ସ୍ଥାନ ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଥିଲା। ୧୫ତମ ମିନିଟ୍ରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହାର ୧୦ ମିନିଟ୍ ପରେ ନେଦରଲାଣ୍ଡ୍ସ ଅଧିନାୟକ ଥିଏରି ବ୍ରିଙ୍କମାନ (୨୫ ମିନିଟ୍) ଏହି ଗୋଲ୍ଟି ଶୁଝି ସ୍ଥିତି ସମାନ କରିଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ ପରେ ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ସରିଥିଲା। ଚତୁର୍ଥ କ୍ବାର୍ଟରରେ ବରୁଣ କୁମାର (୫୦ ମିନିଟ୍)ଙ୍କ ଗୋଲ୍ରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ଫାଇନାଲ୍ରେ ଆୟୋଜକ ସ୍ପେନ୍ ୩-୨ (୧-୧) ସୁଟ୍ଆଉଟ୍ରେ ଇଂଲଣ୍ଡକୁ ହରାଇ ଟ୍ରଫି ହାତେଇଥିଲା।