ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୁଧବାର ଲଣ୍ଡନରେ ହିନ୍ଦୁଜା ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଏହି ଗ୍ରୁପର ମୁଖ୍ୟ ଏସପି ହିନ୍ଦୁଜା କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ପରିବାରର ଚାରି ଭାଇଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ବୁଧବାର ସନ୍ଧ୍ୟାରେ ହିନ୍ଦୁଜା ପରିବାରର ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି। ମୁଖପାତ୍ର ଜଣକ କହିଛନ୍ତି ଯେ, “ଗୋପୀଚାନ୍ଦ, ପ୍ରକାଶ ଓ ଅଶୋକ ହିନ୍ଦୁଜାଙ୍କ ସମେତ ସମଗ୍ର ହିନ୍ଦୁଜା ପରିବାର ଅତ୍ୟନ୍ତ ଦୁଃଖର ସହ ସୂଚନା ଦେଇଛନ୍ତି ଯେ ପରିବାରର ମୁଖ୍ୟ ତଥା ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍ ପି ହିନ୍ଦୁଜାଙ୍କ ଦେହାନ୍ତ ହୋଇଛି। ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ପରବର୍ତ୍ତୀ ସମୟରେ ବ୍ରିଟିଶ ନାଗରିକତା ହାସଲ କରି ଲଣ୍ଡନରେ ରହୁଥିଲେ ।
“ ହିନ୍ଦୁଜା ଗ୍ରୁପ୍ ଏସ୍ ପି ହିନ୍ଦୁଜାଙ୍କ ପିତା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜା (ପିଡି ହିନ୍ଦୁଜା)ଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଭାରତରୁ ଆରମ୍ଭ ହୋଇଥିବା ହିନ୍ଦୁଜା ପରିବାରର ବ୍ୟବସାୟ ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ହିନ୍ଦୁଜା ଗ୍ରୁପ୍ ଅଟୋମୋବାଇଲ, ଆର୍ଥିକ ସେବା, ତୈଳ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅଗ୍ରଣୀ ନାମ । ଅଶୋକ ଲେଲାଣ୍ଡ, ଇଣ୍ଡସଇଣ୍ଡ ବ୍ୟାଙ୍କ, ହିନ୍ଦୁଜା ବ୍ୟାଙ୍କ (ସୁଇଜରଲ୍ୟାଣ୍ଡ), ଗଲ୍ଫ ଅଏଲ, ହିନ୍ଦୁଜା ହେଲଥକେୟାର ଆଦି ହିନ୍ଦୁଜା ଗ୍ରୁପ ଅନ୍ତର୍ଗତ କମ୍ପାନି।