ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ରାଧାମୋହନପୁର ( ଚନ୍ଦନପୁର) ଗ୍ରାମରେ ବହୁ ପ୍ରାଚୀନ କାଳରୁ ଅଧିଷ୍ଠାତ୍ରୀ ଗ୍ରାମଦେବତୀ ଭାବେ ମା ‘ ପରମ ବୈଷ୍ଣବୀ ଠାକୁରାଣୀ ଆରାଧ୍ୟା ଦେବୀ ରୂପେ ପୂଜା ପାଇଆସୁଛନ୍ତି। ଏହି ଶକ୍ତିପୀଠ ସମ୍ପର୍କରେ ଅନେକ ଲୋକକଥା ଏବଂ କିମ୍ବଦନ୍ତୀ ରହିଛି, ଯାହା ଶ୍ରବଣ କଲେ ଆଶ୍ଚର୍ଯ୍ୟ ଲାଗେ। ପୀଠର ଇତିହାସ ସ୍ବତନ୍ତ୍ର। ପୀଠ ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମନ୍ଦିରର ପଶ୍ଚିମ ପାର୍ଶ୍ଵରେ ରାଧାମୋହନପୁର ୟୁ ଜି ଏମ ଇ ବିଦ୍ୟାଳୟ ଏବଂ ପୂର୍ଣ୍ଣବ୍ରହ୍ମ ମଙ୍ଗଳମୟ ବାବା କପିଳେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ। ମହାଦେବ ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ ହୋଇଥାଏ। ପ୍ରତି ସୋମବାର , ଚତୁର୍ଦ୍ଦଶୀ ଏବଂ ସଂକ୍ରାନ୍ତିରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳେ। ମହାଶିବରାତ୍ରୀ , ଶିବ ବିବାହ, ରଜ ଆଦି ବିଭିନ୍ନ ପର୍ବ ପର୍ବାଣୀ ଦିନ ଶିବ ମନ୍ଦିରରେ ହଜାର ହଜାର ଭକ୍ତମାନଙ୍କର ସମାଗମ ହୋଇଥାଏ।
ଦେବୀ ପୀଠର ଦକ୍ଷିଣ ଦିଗରେ ବାଲିଛନ୍ଦା ଘାଟଠାରୁ ଜଗନ୍ନାଥପୁର ଶହୀଦରୋଡ଼ର ଦୂରତା ପ୍ରାୟ ୧୦୦ ମିଟର। ବାଲିଛନ୍ଦା ଘାଟଠାରୁ ୨୫ କିଲୋମିଟର ଦୂରରେ ପଡ଼ିବ ” ବନାକାନ୍ଥି” ଛକ। ବାଲିଛନ୍ଦାଘାଟର ସ୍ବତନ୍ତ୍ର ଲୋକକଥା ଥିଲେ ମଧ୍ୟ ଭାରତ ସ୍ଵାଧିନତା ଆନ୍ଦୋଳନରେ ରକ୍ତତୀର୍ଥ ଇରମର ମୁକ ସାକ୍ଷୀ କହିଲେ ଅତ୍ୟୁକ୍ତି ହେବନାହିଁ। ଶକ୍ତି ପୀଠର ଉତ୍ତର ଦିଗରେ ” କାଂଶବାଂଶ ନଈ” ପ୍ରବାହିତ। ନଦୀର ଦୁଇ ପାର୍ଶ୍ଵରେ ପ୍ରାକୃତିକ ପରିବେଶ ଅତ୍ୟନ୍ତ ଚିତ୍ତାକର୍ଷକ। ପୂର୍ବ ଦିଗରେ ଜଗନ୍ନାଥପୁର ଶହୀଦ ରୋଡ ପୋଲ ଠାରୁ ସାରଙ୍ଗପୁର ନିକଟରେ କାଂଶବାଂଶ ନଦୀର ଶାଖା ନଦୀ ” କଣ୍ଟିଆଚିରା ନଦୀ” ପ୍ରବାହିତ ହେଉଅଛି। ବାଲେଶ୍ଵର ଜିଲ୍ଲାର ବାହାନଗା, ସୋରୋ ଏବଂ ଭଦ୍ରକ ଜିଲ୍ଲାର ବାସୁଦେବପୁର ପଞ୍ଚାୟତସମିତି ସୀମା ଆରମ୍ଭର ମଧ୍ୟ ସ୍ଥଳରେ ଏହି ମାତୃକ୍ଷେତ୍ର ” ଅଶ୍ଵପୀଠ” ଅବସ୍ଥିତ । ଏହିଭଳି ପୀଠର ଚାରି ଦିଗରେ ପ୍ରାକୃତିକ ପରିବେଶ ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ହୃଦୟସ୍ପର୍ଶୀ।
କିମ୍ବଦନ୍ତୀ ଓ ଲୋକକଥା :
ଆରାଧ୍ୟା ଦେବୀ ମା’ ପରମ ବୈଷ୍ଣବୀ ଠାକୁରାଣୀ ଶକ୍ତି ପୀଠର ନାମ ” ଅଶ୍ଵକ୍ଷେତ୍ର ” । ମାଆଙ୍କ ଆବିର୍ଭାବ ସମ୍ପର୍କରେ ଏକ ସ୍ବତନ୍ତ୍ର କିମ୍ବଦନ୍ତୀ ରହିଛି। ଲୋକକଥା ଏବଂ ଇତିହାସରେ ବର୍ଣ୍ଣିତ ଅନୁଯାୟୀ ମା ‘ ପରମ ବୈଷ୍ଣବୀ ଆଜକୁ ପ୍ରାୟ ଆଠ ଶହ ଛସ୍ତରି ବର୍ଷ ପୂର୍ବରୁ ସୁରଥ ରାଜାଙ୍କ ସମୟରୁ ଏହି ପୀଠର ଅଲୌକିକତା ବିଷୟରେ ବର୍ଣ୍ଣନା କରାଯାଇଛି। ଦେବୀ ପୁରାଣ ଅନୁସାରେ ସେତେବେଳେ ରାଜା ସୁରଥ ମା ‘ ପରମ ବୈଷ୍ଣବୀ ଠାକୁରାଣୀଙ୍କୁ ଆରାଧ୍ୟା ଦେବୀ ଭାବରେ ପୂଜା କରି ରାଜ୍ୟ ଶାସନ କରୁଥିଲେ ଏବଂ ଅନ୍ୟ ପଡୋଶୀ ରାଜ୍ୟ ଜୟ କରିବା ପାଇଁ ଯାଉଥିଲେ। ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ, ଆରାଧ୍ୟା ଠାକୁରାଣୀ। ସେ ଭକ୍ତର ମନ ଜାଣି ଫଳ ଦିଅନ୍ତି।
ପୀଠର ଅଲୌକିକତା :
ଶକ୍ତିଶ୍ୱରୁପିଣୀ ବ୍ରହ୍ମସନାତନୀ ଆରାଧ୍ୟା ଠାକୁରାଣୀ ମା ‘ ପରମ ବୈଷ୍ଣବୀ ଏକ ତେନ୍ତୁଳି ବୃକ୍ଷ ମୂଳରେ ବର୍ତ୍ତମାନ ଅବସ୍ଥାପିତ ହୋଇଥିଲେ ମଧ୍ୟ ଯାହାର ମୂଳ କେଉଁଠି କେହି କହିପାରବେ ନାହିଁ । ମଞ୍ଜ ନ ଥିବା ସମ୍ପୂର୍ଣ ପୋଲା ତେନ୍ତୁଳି ବୃକ୍ଷର ଇତିହାସ ବହୁ ପ୍ରାଚୀନ କାଳରୁ ବୋଲି ମନେହୁଏ। ମା ‘ ପରମ ବୈଷ୍ଣବୀ ଏଠାରେ ମା ‘ ମହାକାଳୀ, ମା ‘ ମହାସରସ୍ଵତୀ, ମା ‘ ମହାଲକ୍ଷ୍ମୀ ରୂପରେ ପୂଜା ପାଇଆସୁଛନ୍ତି। ସାତ ଭଉଣୀଙ୍କ ସହିତ ମା ‘ ସ୍ଵୟଂ ବିରାଜିତା। ମାଆଙ୍କ ସମ୍ମୁଖରେ ଏକ ବିରାଟକାୟ ତେନ୍ତୁଳି ବୃକ୍ଷ ମୂଳରେ ମା ‘ ପଶ୍ଚିମା ଠାକୁରାଣୀ ପୂଜା ପାଉଛନ୍ତି। ମାଆ ବିରାଜମାନ କରିଥିବା ତେନ୍ତୁଳି ବୃକ୍ଷର ମହିମା ସ୍ବତନ୍ତ୍ର। ଯେଉଁ ବୃକ୍ଷରେ ଲଗାଲଗି ହୋଇ ବଟ – ଅଶ୍ୱସ୍ଥ ଦୁଇଟି ବୃକ୍ଷ ରହିଛି, ଯାହାର ମୂଳ ନାହିଁ। ଏଠାରେ ତ୍ରିଶକ୍ତି , ତ୍ରିତତ୍ତ୍ଵ, ତ୍ରିଜ୍ଞାନ ପରିଲକ୍ଷିତ ହୁଏ। ତ୍ରିଦେବୀ ଏଠାରେ ବିରାଜିତା ବୋଲି ଲୋକକଥାରୁ ଶୁଣିବାକୁ ମିଳେ। ମୁଖ୍ୟ ମନ୍ଦିରର ଦକ୍ଷିଣ ଦିଗରେ ଏକ ଭବ୍ୟ ବିରାଟ ପୁଷ୍କରିଣୀ ରହିଛି। ପୀଠର ପୂର୍ବ ଦିଗରେ ଦେବାଧିଦେବ ମହାଦେବ “ନୀଳ କଣ୍ଠେଶ୍ୱର” ନାମରେ ଆବିର୍ଭୁତ। ଶିବଶକ୍ତି ପୀଠର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ।
ପୀଠର ବାସ୍ତୁସିଦ୍ଧାନ୍ତ:
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶକ୍ତି ପୀଠର ମହିମା ସ୍ବତନ୍ତ୍ର। ବାସ୍ତୁ ସିଦ୍ଧାନ୍ତ ଅନୁସାରେ ମା ‘ ପରମ ବୈଷ୍ଣବୀ ପୀଠକୁ ” କୃମପୃଷ୍ଠ ଭୂମି” କୁହାଯାଏ। ତ୍ରିଭୁଜ ଆକାର ତ୍ରି ଶକ୍ତିର ଆଧ୍ୟାତ୍ମିକ ପୀଠ ହେଉଛି ଅଶ୍ୱ କ୍ଷେତ୍ର। ଏଠାକୁ ଆସିଲେ ଭକ୍ତମାନଙ୍କୁ ମାନସିକ ଶାନ୍ତି ମିଳିବା ସହିତ ମନବାଞ୍ଛିତ ଫଳ ମିଳିଥାଏ। ମାଆ , ଭକ୍ତର ମନ ଜାଣି ଫଳ ଦେଇଥାନ୍ତି। ଏଠାରେ ବାର ମାସରେ ତେର ପର୍ବ ପର୍ବାଣୀ ପାରମ୍ପରିକ ବିଧି ବିଧାନ ଅନୁସାରେ ପାଳିତ ହୋଇଥାଏ। ବାର ମାସରେ ତେର ପର୍ବ ପର୍ବାଣୀ ପାରମ୍ପରିକ ବିଧି ବିଧାନ ଅନୁସାରେ ପାଳିତ ହୋଇଥାଏ।
କ୍ଷେତ୍ରର ମହିମା :
ମା ‘ଙ୍କ ପାଖରେ ପ୍ରତି ମାସ ସଂକ୍ରାନ୍ତି ଦିନ ସ୍ବତନ୍ତ୍ର ପୂଜା ଉପାସନା କରାଯାଇଥାଏ। ପ୍ରତିବର୍ଷ ପଣା ସଂକ୍ରାନ୍ତି ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ମା ‘ ଙ୍କର ଉଭା ଯାତ୍ରା ଦେଖିବା ପାଇଁ ପୀଠରେ ହଜାର ହଜାର ଭକ୍ତମାନଙ୍କର ସମାଗମ ହୋଇଥାଏ। ମା ‘ ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହେବା ସହିତ ଅଭିଷ୍ଟ ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ମା ‘ ହେଉଛନ୍ତି ଅଭୟ ବର ଦାୟିନୀ, ମଙ୍ଗଳମୟୀ, ସିଦ୍ଧିଦାତ୍ରୀ, ବାତ୍ସଲ୍ୟମୟୀ, କରୁଣାମୟୀ। ମା ‘ କାହାରିକୁ ଖାଲି ହାତରେ ଫେରାନ୍ତି ନାହିଁ। ଭକ୍ତଟିଏ କରୁଣଭରା କଣ୍ଠରେ ଡାକିଦେଲେ ମା ‘ ସଙ୍ଗେ ସଙ୍ଗେ ଡାକ ଶୁଣନ୍ତି ଏବଂ ଅବିଳମ୍ବେ ବର ଦିଅନ୍ତି। ମା ‘ ଙ୍କର ମହିମା ଅପାର ଓ ଅବର୍ଣ୍ଣନୀୟ।
Comments are closed.