ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତିର ଏକ ଭୟଙ୍କର ସ୍ଥିତି ବାଲେଶ୍ବରରେ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ତର୍ଗତ ନନ୍ଦୁର ପଞ୍ଚାୟତର ଅସୁରିଆ ଗାଁରେ। ମୃତ ମହିଳା ଜଣକ ହେଉଛନ୍ତି କାଞ୍ଚନ ପରିଡା। ସ୍ୱାମୀ ରମାକାନ୍ତ ପରିଡାଙ୍କୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ ।
ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ଯ କରୁଥିଲେ । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ଯା କରି ସେ ଜେଲ୍ ଯାଇଥିଲେ। ପରେ ଜାମିନରେ ଆସି ମଧ୍ଯ ଅନେକ ସମୟରେ ସେ ଅନ୍ୟମାନଙ୍କ ସହ ମାରପିଟ କରୁଥିଲେ ବୋଲି ପୁଲିସ୍ କହିଛି ।ତେବେ ସୂଚନା ମୁତାବକ, ଗତକାଲି ରାତିରେ କୌଣସି କଥାକୁ ନେଇ କାଞ୍ଚନ ଓ ରମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ରମାକାନ୍ତ ଉତ୍କ୍ଷିପ୍ତ ହୋଇ ଏକ ବାଡ଼ି ଆଣି କାଞ୍ଚନଙ୍କୁ ପିଟିପିଟି ହତ୍ୟା କରିଥିଲେ।
ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ପଡ଼ିଥିବା ସ୍ଥାନରେ ପାଣି ପକାଇ ଧୋଇବା ସହ କାଞ୍ଚନ ରକ୍ତ ଭିଜା ଲୁଗାକୁ ବଦଳାଇ ନଳକୂପ ନିକଟରେ ପକାଇଥିଲେ। ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପୁଲିସକୁ ଖବର ଦେଇଥିଲେ। ପୁଲିସ ରମାକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ରମାକାନ୍ତ ତାଙ୍କ ଘରେ ଚୋରା ମଦ ବିକ୍ରୀ କରୁଥିଲେ। ତେଣୁ ସେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଜଣାଯାଇଛି। ପୂର୍ବରୁ ରମାକାନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି।