ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ସୁପ୍ରିମକୋର୍ଟରେ ଦାଖଲ ହେଲା ବହୁଚର୍ଚ୍ଚିତ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର କମିଶନ ରିପୋର୍ଟ । ଭେଟେନାରି ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଜାଣିଶୁଣି ପୋଲିସ ଏନକାଉଣ୍ଟର କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଏହି ସନ୍ଦିଗ୍ଧ ଏନକାଉଣ୍ଟରକୁ ନେଇ ବିତର୍କ ସୃଷ୍ଟି ହେବା ପରେ ସୁପ୍ରମିକୋର୍ଟ କମିଟି ଗଠନ କରିଥିଲେ । ପ୍ରାଣ ହରାଇଥିବା ୪ଜଣଙ୍କ ମଧ୍ୟରେ ଥିଲେ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲୁ ନବୀନ ଓ ସି. ଚେନକେସଭୁଲୁ । ସେମାନଙ୍କ ମଧ୍ୟରେ ଥିଲେ ୩ ଜଣ ନାବାଳକ । ଗତ ନଭେମ୍ବର ୨୦୧୯ରେ ଭେଟେରିନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏହି ଚାରିଜଣଙ୍କୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା ।

ଏନେଇ ବିବାଦ ଦେଖାଦେବା ପରେ ଏହି ଘଟଣାର ତଦନ୍ତ ଲାଗି ତିନିଜଣିଆ ତଦନ୍ତ କମିଶନ ଗଠିତ ହୋଇଥିଲ । ଏନକାଉଣ୍ଟର ନେଇ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନଙ୍କ ଯୁକ୍ତିକୁ ପ୍ରଧାନବିଚାରପତି ଜଷ୍ଟିସ ଏନଭି ରମଣା. ଜଷ୍ଟିସ ସୂର୍ୟ୍ୟ କାନ୍ତ ଓ ଜଷ୍ଟିସ ହିମା କୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ । ଗତ ବର୍ଷ ଅଗଷ୍ଟ ୩ ତାରିଖରେ ଅଧିକ ତଦନ୍ତ ଲାଗି କମିଶନକୁ ସୁପ୍ରମିକୋର୍ଟ ଅଧିକ ୬ ମାସ ପ୍ରଦାନ କରିଥିଲେ । ତେବେ କମିଶନ ରିପୋର୍ଟ ଦାଖଲ ପରେ ଏନକାଉଣ୍ଟର ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।