ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡାଲଖାଇ ନୃତ୍ୟରେ ଝୁମିଲେ ପ୍ରବାସୀ ଓଡିଆ । ଚଳିତ ବର୍ଷ ଆଇଆଇଟିଏଫ୍ ଥିମ୍, ‘ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍’ ପାଭିଲିୟନଗୁଡ଼ିକୁ ଲାଇଭ୍ କାନଭେଜରେ ପରିଣତ କରିଛି। ନୂଆଦିଲ୍ଲୀ ପ୍ରଗତି ମଇଦାନ ରେ ଚାଲିଛି ୪୨ ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୩ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିଭିନ୍ନ ରାଜ୍ୟ ମାନଙ୍କ ପକ୍ଷରୁ ପ୍ରଦର୍ଶନୀ ଲଗାଯାଇଛି । ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯାଇଛି ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଶୀ ନୃତ୍ୟ, କୋରାପୁଟ ଧାରୁଆ ଜନଜାତିର ବିର୍ଲି ନୃତ୍ୟ, ଡାଲଖାଇ ନୃତ୍ୟ ଗୀତରେ ଝୁମିଥିଲେ ପ୍ରବାସୀ ଓଡ଼ିଆ।ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ତା ସହିତ ଓଡ଼ିଶା ର ସଂସ୍କୃତି ପରମ୍ପରା କୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଯାହାର ମୁଖ୍ୟ ଆକର୍ଷଣ ରହିଛି କରୁଣା ସିଲକ । ଏଥିରେ ରାଜ୍ୟର ୮ ଟି ବିଭାଗର ୨୪ ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି। ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟ ।
ହର ହର ଶମ୍ଭୁ ଗୀତ ଗାନ କରି ଓଡ଼ିଶା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ପ୍ରଗତି ମୈଦାନରେ ଶିହରଣ ସୃଷ୍ଟି କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି ଓ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ରାଜ୍ୟ ଦିବସ ସମାରୋହର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆଙ୍କ ସମେତ ଦେଶ ବିଦେଶର ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ ।
ପ୍ରଗତି ମଇଦାନରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’ । ଏହି ବିଶାଳ ମେଳାରେ ଅନ୍ୟତମ ଆକର୍ଷଣ ହେଉଛି ‘ଓଡ଼ିଶା ପାଭିଲିୟନ’ । ଯେଉଁଠି ରାଜ୍ୟର କଳା,ସଂସ୍କୃତି, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି ।