ଅତିଷ୍ଟ ହେଲେଣି ପାକିସ୍ତାନ ସରକାର, ଖୁବ୍ ଶୀଘ୍ର ଗିରଫ ହେବେ ଇମରାନ୍
ଇସଲାମାବାଦ(ଓଡ଼ିଆ ନ୍ୟୁଜ୍): ହାତରୁ କ୍ଷମତା ଜିବାପରେ ରକ୍ତ ଚାଉଳ ଚୋବାୁଛନ୍ତି ଇମ୍ରାନ୍ ଖାନ୍ । ନବ ନିର୍ବାଚିତ ସରକାରଙ୍କ ବିରୋଧରେ ରାଲି, ପ୍ରଦର୍ଶନୀ ଠାରୁ ଆରମ୍ଭ କରି ବିକ୍ଷୋଭ ପର୍ୟ୍ୟନ୍ତ, ସ୍ବର ଉଠାଇବାକୁ କୌଣସି ବି ବାଟ ଛାଡ଼ି ନାହାନ୍ତି ଇମରାନ୍। ଯେଉଁଥି ପାଇଁ ଅତିଷ୍ଟ ହୋଇପଡ଼ିଲେଣି ପାକିସ୍ତାନର ଶାହାବାଜ୍ ସରକାର । କିନ୍ତୁ, ଏବେ ଇମରାନଙ୍କ ଏହି କାର୍ୟ୍ୟକଳାପକୁ ଆଉ ବରଦାସ୍ତ କରିବେନି ଶାହାବାଜ୍ । ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ବୁଧବାର ଦିନ ପେଶୱାରରୁ ଇସଲାମାବାଦ ଅଭିମୁଖେ ଯାଉଥିବା ସମୟରେ ଇମ୍ରାନ ଖାନ ଏବଂ ତାଙ୍କ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଅଟକ ରଖିଛନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ବାଧୀନ ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ ଏବଂ ଏହା ପରେ ଲାହୋରରେ ସ୍ୱାଧୀନ ପଦଯାତ୍ରା ପାଇଁ ପିଟିଆଇ କର୍ମୀମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ଏଜେନ୍ସିର ସୂଚନା ମୁତାବକ, ଆଇନ ଶୃଙ୍ଖଳାକାରୀ ସଂସ୍ଥାଗୁଡ଼ିକର ସମସ୍ତ ପ୍ରକାର ପ୍ରତିରୋଧକୁ ରୋକିବା ପାଇଁ ପିଟିଆଇ କର୍ମଚାରୀମାନେ ଭଲ ଭାବରେ ପ୍ରସ୍ତୁତ ରହିଛନ୍ତି ବୋଲି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୂର୍ବରୁ ସୂଚନା ମିଳିସାରିଛି। ସରକାରୀ ଏଜେନ୍ସିଗୁଡିକ ଭଲଭାବେ ଜାଣିଛନ୍ତି ଯେ, ପରିସ୍ଥିତିରେ ଦ୍ୱନ୍ଦ୍ୱ ଉପୁଜିବା ନିଶ୍ଚୟ ତେଣୁ ଏହାକୁ ଏଡ଼ାଇବା କଷ୍ଟକର। ଫଳରେ ବର୍ତ୍ତମାନ ପୋଲିସ ଏବଂ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ତେବେ ସରକାରଙ୍କ ଯୋଜନା ମୁତାବକ କେବେ ଇମରାନ୍ ଖାନଙ୍କୁ ଗିରଫ କରାଯାଉଛି, ତାହା ଦେଖିବାକୁ ବାକି ରହିଲା।