ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆରପାରିରେ ସାହିତ୍ୟ ଜଗତର ଉଜ୍ଜ୍ୱଳମୟ ତାରା ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର । ୯୫ବର୍ଷ ବୟସରେ ଏସସିବିରେ ଚିତ୍କିସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ଘଟିଛି। ପରଲୋକ ପୂର୍ବରୁ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଲେଖିଥିଲେ ମୋ’ ଶେଷ ଇଚ୍ଛା। ଯେଉଁଥିରେ ସେ ୩ଟି କଥା ଲେଖିଛନ୍ତି। ଇଂରାଜୀରେ ଲେଖାଥିବା ମାଇଁ ଲାଷ୍ଟ ଉଇସରେ ଲେଖାଯାଇଛି, ମୋ’ ମର ଶରୀରକୁ ଖାନନଗର ବିଦ୍ୟୁତ ଚୁଲାରେ ଦାହ କରିବ। ଏହାକୁ କେବେ ହେଲେ ପୋତିବ ନାହିଁ। ମୃତ୍ୟୁ ସମୟରେ ଉପସ୍ଥିତ ବନ୍ଧୁ, ଶୁଭେଚ୍ଛୁମାନଙ୍କ ଗହଣରେ ମୃତଦେହକୁ ଭ୍ୟାନ୍ କିମ୍ୱା ଆମ୍ବୁଲାନ୍ସରେ ନେଇ ଯଥାଶୀଘ୍ର ଦାହ କରିବ। କିନ୍ତୁ ପୂରଣ ହୋଇପାରିବନି କବିଙ୍କ ଶେଷ ଇଚ୍ଛା । କଟକ ଖାନନଗର ଇଲେକ୍ଟ୍ରିକ୍ ଚୁଲାରେ ଶେଷ କୃତ୍ୟୁ ହେବ ବୋଲି ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ । ଏବେ କିନ୍ତୁ ଏହା ଅଚଳ ରହିଛି । ତେଣୁ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପାରମ୍ପରିକ ଭାବେ ଶେଷକୃତ୍ୟ ସମ୍ପନ୍ନ ହେବ ।
ନିଜ ଶେଷ ଇଚ୍ଛାରେ ସେ ଲେଖିଛନ୍ତି ୩୫ ବର୍ଷ ଧରି ସେବା କରି ଆସୁଥିବା ଶ୍ରୀମତୀ ଜେ. ସରୋଜିନୀଙ୍କୁ ଘର ପାଖରେ ୨୦ ଫୁଟରେ ୨୦ ଫୁଟର ଜମି ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ପତ୍ନୀ ଜ୍ୟୋତ୍ସ୍ନା ମହାପାତ୍ର ଓ ପୁଅ ମୋହନ ମହାପାତ୍ର ଓ ମୁଁ ଏ ସଂପର୍କରେ ନିଷ୍ପତ୍ତି ନେଇଛୁ। ଶେଷରେ ସମସ୍ତ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ମୃତ୍ୟୁ ପରେ ପୋତି ଦେବାକୁ ଚିଠିରେ ଲେଖାଯାଇଛି।
ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ବିଶେଷ କରି ଜଣେ ଇଣ୍ଡିଆନ୍ ଇଂଲିସ୍ ପୋଏଟ୍ ହିସାବରେ ବେଶ୍ ପରିଚିତ। ସେ ହେଉଛନ୍ତି ପ୍ରଥମ ଭାରତୀୟ କବି ଯିଏ କି ଇଂରାଜୀ ଭାଷାରେ କବିତା ପାଇଁ ସାହିତ୍ୟ ଏକାଡେମୀ ପୁରଷ୍କାର ପାଇଥିଲେ। ତାଙ୍କ କୃତି ମଧ୍ୟରେ ଇଣ୍ଡିଆନ୍ ସମର୍, ହଙ୍ଗର ଓ ରିଲେସନସିପ୍ ଭଳି କାବ୍ୟ ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି।
ତାଙ୍କ ଲେଖନୀରୁ ୨୦ରୁ ଅଧିକ ଇଂରାଜୀ କବିତା ସଂକଳନ ଓ ୭ରୁ ଅଧିକ ଓଡ଼ିଆ କବିତା ସଂକଳନ ଉତୁରିଥିଲା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ଆଜି ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ। ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆର୍ଟ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମଏସସି ଡିଗ୍ରୀ ହାସଲ କରିଥିଲେ।