ଭାରତୀୟ ସେନାର ଅପରେସନ ସିନ୍ଦୂର ପଡ଼ୋଶୀ ପାକିସ୍ତାନରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ପରିଣାମସ୍ଵରୂପ ବିଚଳିତ ପାକିସ୍ତାନୀ ସେନାର ଯବାନ ଗତ ରାତିରେ ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ତଙ୍ଗଧାର ଅଞ୍ଚଳରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟ ସ୍ଥିତ ଗାଁଗୁଡ଼ିକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଛି। ଏଥିରେ ଏ ପର୍ଯ୍ୟନ୍ତ ଚାରି ପିଲା ସମେତ ଅନ୍ୟୁନ ୧୫ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।
ଭାରତୀୟ ସେନା ଦ୍ଵାରା ଅପରେସନ ସିନ୍ଦୂର ପରେ ପରେ ପାକିସ୍ତାନ ଏଲଓସି ସଂଲଗ୍ନ ଗାଁଗୁଡ଼ିକ ଉପରେ ପ୍ରବଳ ଗୁଳି ବର୍ଷଣ କରିଛି। ଅଧିକାରୀଙ୍କ ଅନୁଯାୟୀ, ଗୁଳିମାଡ଼ରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁଞ୍ଚ ଜିଲ୍ଲା। ଏଠାରେ ମୃତକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ୪୩ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଆଖିବୁଜା ଗୁଳିମାଡ଼ରେ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ମାହୋଲ ଖେଳି ଯାଇଛି। ସେମାନଙ୍କୁ ଭୂମିଗତ ବଙ୍କରରେ ଶରଣ ନେବା ସହ ବାହ୍ୟ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ବିବଶ ହେବାକୁ ପଡ଼ିଛି।