ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ସିଝୁଛି ଓଡିଶା। ନା ଘରେ ରହି ହେଉଛି ନା ବାହାରେ ରହି ହେଉଛି । ତାପମାତ୍ରା ଆହୁରି ବଢ଼ିବ । ୪୫ ଡିଗ୍ରୀ ଛୁଇଁପାରେ । ଆଭ୍ୟନ୍ତରୀଣରେ ଅଧିକ ଜଳାଇବ । ଉପକୂଳରେ ବି ନିସ୍ତାର ମିଳିବନି । ଭୟଙ୍କର ଗ୍ରୀଷ୍ମପ୍ରବାହ ବହିବ ।ଜନଜୀବନ କଲବଲ କରିବ ।
ପାଣିପାଗ ବିଭାଗ ସମେତ ପାଣିପାଗ ବିଶେଷଜ୍ଞମାନେ ଏଭଳି ପୂର୍ବାନୁମାନ କରିଛନ୍ତି ।ଆଞ୍ଚଳିକ ପାଣପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ସୋମବାରଠାରୁ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁଯିବ । ସୋମବାର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହୋଇପାରେ ।
୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମପ୍ରବାହର ଆଶଙ୍କା ଅଛି । ୧୭ରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ଗ୍ରୀଷ୍ମପ୍ରବାହ ବହିପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୫ରୁ ରାଜ୍ୟରେ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶାରେ ବି ତାପମାତ୍ରା ବଢ଼ିଯିବ। ୨୨ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।