ଓଡିଶା ସିଭିଲ ସର୍ଭିସ ଖାତା ଦେଖିବାକୁ ମିଳୁ ନାହାଁନ୍ତି ପ୍ରାଧ୍ୟାପକ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଶେଷ ହୋଇଛି ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌‌) ମେନ୍‌‌ ପରୀକ୍ଷା । ଏହାର ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମିଳୁ ନାହାଁନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାଧ୍ୟାପକଙ୍କୁ ଖାତାଦେଖା ପାଇଁ ରିଲିଭ୍‌‌ କରୁ ନ ଥିବାରୁ ସମସ୍ୟା ଦେଖା ଦେଇଛି।

ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ‘ଓପିଏସସି’ ଏନେଇ ସହଯୋଗ ଲୋଡ଼ିଛି।ବିଶ୍ୱବିଦ୍ୟାଳୟର କାମ ପାଇଁ ପ୍ରାଧ୍ୟାପକମାନେ କାର୍ୟ୍ୟସ୍ଥଳରୁ ରିଲିଭ୍‌‌ ହୋଇ ପାରୁ ନାହାନ୍ତି। ଏପରିସ୍ଥିତିରେ ରେଜଲ୍ଟ ପ୍ରକାଶନ ବିଳମ୍ବ ହେବା ନେଇ ଆଶାୟୀଙ୍କ ଆଶଙ୍କା ବଢ଼ିଛି। ପ୍ରାଧ୍ୟାପକ ଅଭାବ, ନାକ୍‌‌ ଟିମ୍‌‌ ପରିଦର୍ଶନ ଓ ଯୁକ୍ତ ତିନି ମୂଲ୍ୟାୟନ, ପରୀକ୍ଷା ଆଦି ପାଇଁ ପ୍ରାଧ୍ୟାପକମାନଙ୍କୁ ଛାଡ଼ିବା ସମ୍ଭବପର ହେଉନି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି। ବାରମ୍ୱାର ନିବେଦନ ପରେ ବି ପ୍ରାଧ୍ୟାପକ ବିଶ୍ୱବିଦ୍ୟାଳୟରୁ ରିଲିଭ ହେଉନାହାନ୍ତି।

ଫଳରେ ଖାତା ମୂଲ୍ୟାୟନ ପାଇଁ ପ୍ରାଧ୍ୟାପକ ମରୁଡ଼ି ଦେଖା ଦେଇଛି।
ମିଳିଥିବା ସୂଚନା ମୁତାବକ ଓପିଏସ୍‌ସି କର୍ତ୍ତୃପକ୍ଷ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଥିଲେ। ଯେଉଁଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ବିଷୟର ସହକାରୀ ପ୍ରାଧ୍ୟାପକଙ୍କୁ ଖାତା ଦେଖା କାମରେ ନିୟୋଜିତ କରିବାକୁ ଦର୍ଶାଇଥିଲେ। ମାତ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଅକ୍ଷମତା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଓପିଏସସିର ଚିନ୍ତା ବଢ଼ିଛି।

ବିଶ୍ୱବିଦ୍ୟାଳୟର ଏଭଳି ଉତ୍ତର ପରେ ଓପିଏସସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଛି। ୯୫୫ଜଣ ଗୃହ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି। ଯଦି ଖାତା ଦେଖା ଠିକ୍‌‌ ସମୟରେ ନ ସରେ ତାହାଲେ ଫଳ ପ୍ରକାଶନରେ ବିଳମ୍ୱ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଓପିଏସସି।

ଖାଲି ସେତିକି ନୁହେଁ ଆବଶ୍ୟକ ସ୍ଥଳେ ଅନ୍ୟ ବିଷୟ ର ଖାତା ଦେଖା କାମରେ ବି ସହଯୋଗ କରିବାକୁ ଓପିଏସସି ଅନୁରୋଧ କରିଛି।

Leave A Reply

Your email address will not be published.