ଝାରସୁଗୁଡା ଉପ ନିର୍ବାଚନ: ୩ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ବ…?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ଦଳର ୩ ଜଣ ନେତାଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି କରାଯାଇଥିବା ଦଳ ତରଫରୁ ଅର୍ଡର ଜାରି କରାଯାଇଛି । ଆଗୁଆ ପ୍ରାର୍ଥୀ ଘୋଷଣା କରିବା ପରେ ଶାସକ ଦଳ ଏବେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଆସନ୍ତା ମେ ୧୦ ତାରିଖରେ ପଡିବାକୁ ଯାଉଛି ଝାରସୁଗୁଡା ଉପ ନିର୍ବାଚନ ଭୋଟ୍ । ଏହାର ରେଜଲ୍ଟ ଆସନ୍ତା ମେ ୧୩ ତାରିଖରେ ଆସିବ । ତେବେ ଉପ ନିର୍ବାଚନ ପାଇଁ ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଆଗ ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ନେତା ନବ ଦାସଙ୍କ ଝିଅକୁ ଦଳ ପ୍ରାର୍ଥୀ କରିବା ସହ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଏପଟେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିସାରିଥିବା ବେଳେ  ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଖୁବ ଶୀଘ୍ର ଘୋଷଣା କରିପାରେ। ଝାରସୁଗୁଡ଼ା ଦାୟିତ୍ୱରେ ଥିବା ବିଧାୟକ ସନ୍ତୋଷ ସିଂ ସାଲୁଜା ୬ ଜଣିଆ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଆଜି ପିସିସିକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ଓ ଦୁଇରୁ ତିନି ଦିନ ଭିତରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଜଣାଯାଇଛି। ଉପନିର୍ବାଚନ ଲାଗି କଂଗ୍ରେସର ଟିକେଟ ଦୌଡ଼ରେ ତିନିଜଣ ଅଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ପୂର୍ବତନ ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ, ୨୦୧୯ର ପ୍ରାର୍ଥୀ ମହେନ୍ଦ୍ର ନାୟକ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ଅଶୋକ ମିଶ୍ର। ତେବେ ଏହି ତିନିଜଣଙ୍କ ମଧ୍ଯରୁ କାହାକୁ ଟିକେଟ ମିଳିବ ସେନେଇ ସସପେନ୍ସ ଲାଗି ରହିଛି। ଗତକାଲି କଂଗ୍ରେସର ୫ଜଣିଆ ବିଧାୟକ ପ୍ରାର୍ଥୀ ଚୟନ କମିଟି ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି କମିଟିର ଅଧ୍ୟକ୍ଷ ରହିଥିବା  ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ସଦସ୍ୟ ରହିଛିନ୍ତି। ଏହି ଟିମ  ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିବା ପରେ କିରମିରା, ଲାଇକେରା ଓ କୋଲାବିରା ବ୍ଲକ ଅଞ୍ଚଳକୁ ଯାଇ କଂଗ୍ରେସ କର୍ମୀ ଓ ପଦାଧିକାରୀଙ୍କୁ ଭେଟି ମତାମତ ଲୋଡ଼ିଥିଲେ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୬ ଜଣ ପ୍ରାର୍ଥୀ ତାଲିକାରେ ରହିଥିବାବେଳେ ଯାହାଙ୍କ ଜିତିବାର ଅଧିକ ସମ୍ଭାବନା ରହିଛି ତାକୁ କଂଗ୍ରେସ ପ୍ରାର୍ଥୀ କରିବ। ଆଜିର ରିପୋର୍ଟ ନେଇ ପିସିସି କମିଟି ଅବଗତ କରାଯିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଚୟନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।

Leave A Reply

Your email address will not be published.