ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏହି ଘୋଷଣା କରିଛନ୍ତିା ମୁଖ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ, ମେ’ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ମେ’ ୧୩ ତାରିଖରେ ଗଣତି ହେବ। ଏନେଇ ଏପ୍ରିଲ ୧୩ ତାରିଖରେ ପ୍ରକାଶ ନିର୍ବାଚନ ବିଜ୍ଞପ୍ତି ପାଇବ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବେ। ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରେ ୨ ଲକ୍ଷ ୨୧ ହଜାର ଭୋଟର ଅଛନ୍ତି। ସେଥିମଧ୍ୟରୁ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ଥିବା ବେଳେ ମହିଳା ଭୋଟର ୧ ଲକ୍ଷ ୨୦ ହଜାର ଅଛନ୍ତି।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ କିଏ ହେବେ ଝାରସୁଗୁଡା ଉପ-ନିର୍ବାଚନର ପ୍ରାର୍ଥୀ? କାହାକୁ କାହାକୁ ମିଳିବ ଦଳୀୟ ଟିକେଟ୍? ତାକୁ ନେଇ କାଉନ ଡାଉନ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଗୁଆ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛି ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ଗାଁକୁ ଗାଁ ବୁଲିବା ସହିତ ସଙ୍ଗଠନ ସଜାଡୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ସେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ନାନାଦି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠାଠୁ ଆରମ୍ଭ କରି ନାମଯଜ୍ଞ ଭଳି କାର୍ଯ୍ୟରେ ମଧ୍ୟ ଦୀପାଳି ସାମିଲ ହେଉଛନ୍ତି । କୁହାଯାଉଛି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଉପ ନିର୍ବାଚନ ଟିକେଟ୍ ଦେବାପାଇଁ ବିଜେଡି ଏକପ୍ରକାରର ପକ୍କା କରିସାରିଛି । ଦୀପାଳିଙ୍କୁ ଟିକେଟ୍ ଦେଇ ଶାସକ ଦଳ ଅନୁକମ୍ପା ଭୋଟ୍ ହାତେଇବା ସହିତ ମହିଳା କାର୍ଡ ବି ଖେଳିପାରେ । ତେଣୁ ଏଥର ଝାରସୁଗୁଡା ଉପ ନିର୍ବାଚନରେ ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି ।
ବିଜେଡି ଦୀପାଳିଙ୍କୁ ଟିକେଟ୍ ଦେବାର କାରଣ ବି ଅଛି । କାରଣ ଅଧିକାଂଶ ସମୟରେ ଦୀପାଳି ହିଁ ନବଙ୍କ ସହ ନିର୍ବାଚନ କ୍ୟାମ୍ପେନରେ ନଜର ଆସୁଥିଲେ । ପଦ୍ମପୁର ଉପ ନିର୍ବାଚନ ସମୟରେ ମଧ୍ୟ ଦୀପାଳି ବିଜେଡି ପାଇଁ କ୍ୟାମ୍ପେନିଂ କରୁଥିଲେ । ତେଣୁ ନବଙ୍କ ବିୟୋଗ ପରେ ଦୀପାଳିଙ୍କୁ ବିଜେଡି ଟିକେଟ୍ ଦେବା ଏକପ୍ରକାର ପକ୍କା ବୋଲି ଅନ୍ଦର ମହଲରୁ ସୂଚନା ମିଳୁଛି । ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ଝାରସୁଗୁଡା କ୍ୟାମ୍ପେନରେ ପଛରେ ନାହିଁ । ୨୦୧୯ରେ କଡା ଟକ୍କର ଦେଇଥିବା ବିଜେପି ଏଥର ଦିବଙ୍ଗତ ବିଧାୟକ ନବ ଦାସଙ୍କ ଅନୁପସ୍ଥିତିରେ, ଝାରସୁଗୁଡା ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । କୁହାଯାଉଛି ଗତଥର ନବଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ଭାରତୀୟ ଜନତା ପାର୍ଟି । ନଚେତ୍ ଦିନେଶଙ୍କ ଜାଗାରେ ଟଙ୍କଧରଙ୍କୁ ପ୍ରାର୍ଥୀ କରି ଦଳ ଜଣେ ଯୁବ ଚେହେରାଙ୍କୁ ମଧ୍ୟ ସାମ୍ନାକୁ ଆଣିପାରେ । ଏହି ଦୁଇ ଚେହେରାଙ୍କ ଭିତରୁ ଜଣକୁ ବିଜେପି ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଯେହେତୁ ଗତ ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ତେଣୁ ଏଥର ମଧ୍ୟ ଜଣେ ଲଢୁଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣି ଦଳ ଝାରସୁଗୁଡା ବିଜୟର ରୂପରେଖ ପ୍ରସ୍ତୁତ କରୁଛି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ବିଧାନସଭା ଭୋଟରେ ବିଜେପିକୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ସେହି ଭୋଟ୍ ପ୍ରତିଶତକୁ ବଢାଇବା ସହିତ ବିଜେଡିକୁ ଚେକ୍ ଦେଇ ଦଳ ପୁଣି ଏକ ଉପ ନିର୍ବାଚନ ବିଜୟର ଆଶା ବାନ୍ଧିଛି । ସେହିପରି କଂଗ୍ରେସ କଥା ଯଦି କହିବା, କଂଗ୍ରେସରେ ମଧ୍ୟ ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ରେସରେ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ଝାରସୁଗୁଡାରୁ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଏଥର ପୁଣିଥରେ ଉପ ନିର୍ବାଚନ ଟିକେଟ୍ ହାତେଇବାକୁ ରେସରେ ଅଛନ୍ତି । ଅନ୍ୟପଟେ ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ମଧ୍ୟ କଂଗ୍ରେସ ଟିକେଟ୍ ହାତେଇବାକୁ କସରତ କରୁଥିବା ସୂଚନା ମିଳୁଛି । ତେଣୁ ତରୁଣ କିମ୍ବା ମହେନ୍ଦ୍ରଙ୍କୁ ଟିକେଟ୍ ଦେଇ କଂଗ୍ରେସ ଏଥର ଝାରସୁଗୁଡା ଉପ ନିର୍ବାଚନ ଲଢିପାରେ ବୋଲି କୁହାଯାଉଛି ।