ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନରେ କିଏ ମାରିବ ବାଜି? କାହା କାହା ମଧ୍ୟରେ ହେବ ଟକ୍କର ? ୨୦୨୪ରେ ହେବ କି ୨୦୧୯ ନିର୍ବାଚନ ଫଳାଫଳ ରିପିଟ୍ ? ୨୦୨୪ ପାଇଁ ଏବେଠାରୁ ଆରମ୍ଭ ହେଲାଣି ସମରସଜ୍ଜା। ରାଜ୍ୟରେ ବଢିଲାଣି ରାଜନୈତିକ ଗତିବିଧି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଚଳାଇଛନ୍ତି । ବିଜେପି କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିକଟରେ ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲ ଓଡ଼ିଶା ଆସି ସଙ୍ଗଠନର ସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତା ୨୯ରେ ଦୁଇଦିନିଆ ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱର ଜନତା ମଇଦାନରେ ଦଳର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ସମ୍ମିଳନୀ ରହିଛି। ପରେ ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଏବଂ ପ୍ରଭାରୀମାନଙ୍କ ସହ ଆଲୋଚନା କରିବେ।
ଗାନ୍ଧୀ ଜୟନ୍ତୀରୁ ଦଳର ପ୍ରତିଷ୍ଠା ଦିବସ ଯାଏଁ ବିଜେଡି ଲମ୍ବା ଦଳୀୟ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଦଳ ସବୁବେଳେ ଚଳଚଞ୍ଚଳ ରହିବା ସହ କର୍ମୀମାନେ ସକ୍ରିୟ ରହିଛନ୍ତି। ତେଣୁ ଆଗାମୀ ନିର୍ବାଚନକୁ ଲକ୍ଷ୍ୟ କରି ବିଜେପି କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେଡି କହିଛି। ୨୦୧୯ ନିର୍ବାଚନ ପରେ ଏଭିତରେ ୫ଟି ବିଧାନସଭା ଉପ ନିର୍ବାଚନ ହୋଇଛି। ସମସ୍ତ ଉପନିର୍ବାଚନରେ ବିଜୟୀ ହୋଇଛି ବିଜେଡିି। ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବିଜେଡି ବାଜିମାତ୍ କରିଛି। ତେଣୁ ୨୦୨୪ରେ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି।