ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର

0

ଓଡ଼ିଆ ନ୍ୟୁଜ୍: କଳାହାଣ୍ଡି: ବଞ୍ଜାରୀ ଘାଟିରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର।ଛତିଗୁଡ଼ା-ସିକେରକୁପା ମଧ୍ୟରେ ବଞ୍ଜାରୀ ଘାଟିରେ ଓଲଟିଲା ଟ୍ୟାଙ୍କର। ଗ୍ୟାସ୍ ଲିକ୍ ଆଶଙ୍କା; ଘଟଣାସ୍ଥଳରେ ଭବାନୀପାଟଣା ଉପଜିଲ୍ଳାପାଳ। କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ ଏଲପିଜି ଗ୍ୟାସ ଟ୍ୟାଙ୍କର (ଓଡି-୨୯-ଏଫ-୯୩୮୩) ଅନ୍ୟ ଏକ ଟ୍ରକକୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତା ଉପରେ ସମ୍ପୂର୍ଣ୍ଣ ଓଲଟି ପଡ଼ିଛି। ଦୁର୍ଘଟଣା ଏତେ ଜୋର୍‌ରେ ଥିଲା ଯେ, ଗ୍ୟାସ ଟ୍ୟାଙ୍କର କିଛି ମିଟର ଘୋଷାଡ଼ି ହୋଇ ଯିବା ସହ ଇଞ୍ଜିନ ଚୂରମାର ହୋଇଯାଇଛି।

ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ନମିଳିବାରୁ ଏକ ପିକଅପ୍‌ ଯୋଗେ ଡାକ୍ତରଖାନା ପଠାଯାଇଛି। ଏହି ଟ୍ୟାଙ୍କରଟି ବିଶାଖାପାଟଣାରୁ ଗ୍ୟାସ ବୋଝେଇ କରି ବଲାଙ୍ଗୀର ଯାଉଥିଲା। ତେବେ ଟ୍ୟାଙ୍କର ଓଲଟି ପଡ଼ିଥିବା ବେଳେ ଗ୍ୟାସ ନିର୍ଗତ ହେବା ଆଶଙ୍କା ସୃଷ୍ଟି ହେବାରୁ ନର୍ଲା ଅଗ୍ନିଶମ ବିଭାଗ, ନର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ସମ୍ବେଦନଶୀଳ ଥିବାରୁ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ନର୍ଲା ତହସିଲଦାର, ଗ୍ୟାସ ସେଫଟି ବିଭାଗ ଓ ଜିଲା ପରିବହନ ବିଭାଗ ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ତେବେ ଟ୍ୟାଙ୍କରରେ ଅତି ଦହନଶୀଳ ଏଲପିଜି ଗ୍ୟାସ ଥିବା ଓ ଏହା ନିର୍ଗତ ହେବା ଆଶଙ୍କା ଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ଉପରେ ରୋକ୍‌ ଲଗାଇଛି ପ୍ରଶାସନ। ଫଳରେ ଭବାନୀପାଟଣା-ରାୟଗଡ଼ା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଠପ ହୋଇଯାଇଛି। ଘଟଣା ସମ୍ପର୍କରେ ପୋଲିସ ଓ ପ୍ରଶାସନ ତୀକ୍ଷଣ ନଜର ରଖିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତ ବନ୍ଦ ରହିଛି।

Leave A Reply

Your email address will not be published.