ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଖୋଲିବ ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କୁଲଡିହା ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ।
ମୁଖ୍ୟ ଗେଟରେ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ମିଷ୍ଟାନ୍ନ ଖୁଆଇବେ ବନ କର୍ମଚାରୀ। ବର୍ଷା ଋତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍ ୧୫ରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା। ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ପହିଲାରୁ ଏହା ଖୋଲିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅଭୟାରଣ୍ୟରେ ଥିବା ପଶୁପକ୍ଷୀଙ୍କୁ ନିକଟରୁ ଦେଖିବା ତଥା ଜଙ୍ଗଲ ଭିତରେ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରି ଫଟୋ ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଥି ପାଇଁ ବାଲେଶ୍ବର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଅଭୟାରଣ୍ୟର ଗୋହିରାଭୋଳ ଏବଂ ରିସିଆ ନେଚର ପାର୍କ ଅଞ୍ଚଳକୁ ଚାକଚକ୍ୟ କରାଯାଇଛି। ସୁସ୍ଵାଦୁ ଖାଦ୍ୟ ସହିତ ରାତ୍ରୀ ରହଣୀ ପାଇଁ ମଧ୍ୟ ଟେଣ୍ଟ୍ ବ୍ୟବସ୍ଥା କରାଯାଇଛି।