ଦିନକୁ ଦିନ ବଢ଼ିବାରେ ଲାଗିଛି ବନ୍ୟାଜନ୍ତୁ ଶିକାର। ଆଜି ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଏହି ରେଡ୍ ହୋଇଛି।ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ଖବର ପାଇ କରଞ୍ଜିଆ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା।ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଥିବା ସୂଚନା ମିଳିଛି। ଜବତ ଚମଡାର ଲମ୍ବ ସାଢେ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ହେବ।ଉକ୍ତ ବାଘ ଚମଡ଼ାକୁ ଜବତ କରିବାପରେ ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।
ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ୭ଜଣଙ୍କ ମଧ୍ୟରୁ ୪ ଜଣ ମୟୂରଭଞ୍ଜ ଯଶିପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ତିନି ଜଣ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହା ସହ ଗୋଟିଏ କାର ଜବତ କରାଯାଇଛି।ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।