କଟକ ନବନିର୍ବାଚିତ ମେୟର ଭାବେ ଶପଥ ନେଲେ ସୁବାସ ସିଂ, ଡେପୁଟି ମେୟର ହେଲେ ବସ୍ତୀର ଝିଅ ଦମୟନ୍ତୀ ମାଝୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ନବନିର୍ବାଚିତ ମେୟର ନେଲେ ଶପଥ । କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବାସ ସିଂ । ତାଙ୍କ ସହ ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ ଆୟୋଜିତ ଶପଥଗ୍ରହଣ କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କର୍ପୋରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି । ଚଳିତ ପୌର ନିର୍ବାଚନରେ କଟକବାସୀ ସୁବାସ ସିଂଙ୍କୁ ମେୟର ଭାବରେ ଜୟଯୁକ୍ତ କରାଇଥିଲେ ।

ସୁବାସ ସିଂ ଚଳିତ ନିର୍ବାଚନରେ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ପରାସ୍ତ କରି ମେୟର ସିଟ୍ ହାତେଇଥିଲେ । ସୁବାସ ସିଂଙ୍କୁ ମୋଟ୍ ୧ ଲକ୍ଷ ୦୮ ହଜାର ୩୨୧ ଭୋଟ୍ ମିଳିଥିଲା । ଚଳିତ ପୌର ନିର୍ବାଚନରେ କଟକ ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ବିଜୁ ଜନତା ଦଳ ହାତେଇଥିବାବେଳେ ୩୮ଟି କର୍ପୋରେଟର ପଦ ମଧ୍ୟ ହାତେଇଛି ବିଜେଡି ।

ସେହିପରି କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟ ଦମୟନ୍ତୀ ମାଝୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ। ସିଏମସିର ସର୍ବକନିଷ୍ଠ କର୍ପୋରେଟର ଭାବେ ନିର୍ବାଚନ ଜିତିଥିବା ରେଭେନ୍ସାର ମେଧାବୀ ଛାତ୍ରୀ ଦମୟନ୍ତି ଏବେ କଟକ ମହାନଗର ନିଗମର ସର୍ବକନିଷ୍ଠ ଡେପୁଟି ମେୟର ହୋଇଛନ୍ତି।

Leave A Reply

Your email address will not be published.