ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ବିଜୁ ଏକ୍ସପ୍ରେସ ୱେ ମଝିପାଲି ଟୋଲ୍ ଗେଟ୍ ନିକଟରୁ ୧୬୬ କେଜି ୪୦୯ ଗ୍ରାମ୍ ଓଜନର ରୁପା ଅଳଙ୍କାର ଓ ରୁପା ସାମଗ୍ରୀ ଜବତ କରାଯାଇଛି ।
ଅବକାରୀ ବିଭାଗର ସୂଚନା ପରେ ଜିଏସଟି ଟିମ୍ ଛାନ୍ଭିନ୍ ଆରମ୍ଭ କରିଛି । ଗାଡିଟି ବାହାର ରାଜ୍ୟର ହୋଇଥିବା ବେଳେ ଝାରସୁଗୁଡା ଅଭିମୁଖେ ଯାଉଥିଲା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ରୁପା ଅଳଙ୍କାର ମହାରାଷ୍ଟ୍ରରୁ ରାଞ୍ଚି ଯାଉଥିଲା ବୋଲି ସୂଚନା ମିଳିଛି। ତେବେ ସୂଚନା ମୁତାବକ, ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ’ର ମାଝିପାଲି ଟୋଲ୍ ଗେଟ୍ ନିକଟରେ ଗାଡି ଯାଞ୍ଚ କରୁଥିଲେ। ସେହି ସମୟରେ ମହାରାଷ୍ଟ୍ର ନମ୍ୱର ପ୍ଲେଟ୍ ଥିବା ଏକ କାର୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କାର୍ ସିଟ୍ରେ ସିକ୍ରେଟ୍ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ମିଳିଥିଲା। ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା।
ହେଲେ ସେଥିରୁ ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା। ଏହାପରେ ଅବକାରୀ ବିଭାଗ ଜିଏସଟି ବିଭାଗକୁ ଖବର ଦେଇଥିଲା। ଜିଏସ୍ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା । ରୁପା ଅଳଙ୍କାରର ଆନୁସଙ୍ଗିକ କାଗଜ ଚାଲାଣକାରୀଙ୍କୁ ମାଗିଥିଲେ । ହେଲେ ସେମାନେ ସଠିକ୍ କାଗଜପତ୍ର ଦେଇନପାରିବାରୁ ଜିଏସଟି ପକ୍ଷରୁ ଅଳଙ୍କାର ସହ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ।
Comments are closed.