ରାଜ୍ୟରେ ନଦୀଜଳ ପ୍ରଦୂଷଣ ସ୍ଥିତିରେ ଆସିଛି ଅନେକ ସୁଧାର, ୧୯ଟି ନଦୀ ମଧ୍ୟରୁ ୧୩ଟି ନଦୀର ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ)  ରାଜ୍ୟରେ ନଦୀଜଳ ପ୍ରଦୂଷଣ ସ୍ଥିତିରେ ଆସିଛି ଅନେକ ସୁଧାର।୨୦୧୮ମସିହାରେ ରାଜ୍ୟର ମୋଟ ୧୯ଟି ନଦୀରେ ପ୍ରଦୂଷଣ ଥିଲା। ଏହି ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଠନ କରାଯାଇ ନିୟମିତ ତଦାରଖ ସହିତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।ଫଳରେ ଆଜିର ଦିନରେ ୧୯ଟି ନଦୀ ମଧ୍ୟରୁ ୧୩ଟି ନଦୀର ଜଳ ପ୍ରଦୂଷଣ ମୁକ୍ତ ହୋଇପାରିଛି।

ଅବଶିଷ୍ଟ ୬ଟି ନଦୀ ଯଥା ଗଙ୍ଗୁଆ, ଦୟା, କାଠଯୋଡି, ବ୍ରାହ୍ମଣୀ, ସେରୁଆ ଓ ମଙ୍ଗଳାରେ ନଦୀଜଳ ପ୍ରଦୂଷିତ ଥିଲେ ହେଁ ଚିନ୍ତାଜନକ ନୁହେଁ।ତଥାପି ଏହାକୁ ରୋକିବା ପାଇଁ ଜଳସମ୍ପଦ ବିଭାଗ, ଗଢହ ଓ ନଗର ଉନ୍ନୟନ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପଞ୍ଚାୟତିରାଜ ବିଭାଗ ଆଦିର ସମନ୍ବୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟତଃ ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ନଦୀରେ ଛଡା ଯାଉଥିବାରୁ ନଦୀଜଳ ପ୍ରଦୂଷିତ ହେଉଥିବା ଜଣାପଡିଛି। ଏଥିପାଇଁ ସହରର ବିଭିନ୍ନ ଶିଳ୍ପ ସଂସ୍ଥା ଓ ବର୍ଜ୍ୟଜଳକୁ ନଦୀ ଓ ନାଳରେ ନଛାଡିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ସହିତ ନଦୀଜଳକୁ ସ୍ବଚ୍ଛ ରଖିବାକୁ ନିୟମିତ ବ୍ୟବଧାନରେ ନାଳରେ ପାଣି ଛାଡିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ନଦୀ କୂଳରେ ଥିବା ସହର ଯଥା ରାଉରକେଲା, ସମ୍ବଲପୁର, କଟକ ଓ ଭୁବନେଶ୍ବର ଆଦି ସହର ଗୁଡିକରେ ମଳ ଉପଚାର କେନ୍ଦ୍ର ପ୍ରତିଷ୍ଠା କରାଯିବା ପରେ ନଦୀରେ ପ୍ରଦୂଷଣ ହ୍ରାସ ପାଇଛି। ଯାହାକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ ବା (ଏନ୍ ଜି ଟି) ସନ୍ତୋଷ ପ୍ରକାଶ କରିବା ସହ ଓଡିଶାକୁ ଏକ୍ଷେତ୍ରରେ ମଡେଲ ବୋଲି ଦର୍ଶାଇଛନ୍ତି। ଫଳରେ ଓଡିଶାର ଏହି ମଡେଲକୁ ଦେଖିବାକୁ ପୂର୍ବରୁ ପଞ୍ଜାବ ରାଜ୍ୟରୁ ସ୍ବତନ୍ତ୍ର ଟିମ ଆସି ଫେରିଥିବା ବେଳେ ବର୍ତ୍ତମାନ ମଳ ଉପଚାର ପ୍ରକଳ୍ପ ପରିଦର୍ଶନ କରିବାକୁ ଉତ୍ତର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶରୁ ଟିମ୍ ଆସୁଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ ପରେ ରାଜ୍ୟରେ ପ୍ରଦୂଷିତ ତାଲିକାରେ ଥିବା ସମସ୍ତ ୬ଟି ନଦୀର ସ୍ଥିତିରେ ସୁଧାର ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଡଃ କେ. ମୁରୁଗେସନ।

ସେପଟେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ସହରରେ ପ୍ରଦୂଷଣ ବୃଦ୍ଧି ପାଉଛି।ଯାହା ରାଉରକେଲାରେ ଅଧିକ ଅନୁଭୁତ ହେଉଛି।ରାଉରକେଲା ଆଖପାଖରେ ରାଜଗାଙ୍ଗପୁର ଓ ବିରମିତ୍ରପୁର ଅଞ୍ଚଳରେ ଜଙ୍ଗଲରେ ନିବଁ ଲାଗିବା ଫଳରେ ରାଉରକେଳାର ତାପମାତ୍ରା ବୃଦ୍ଧି ସହିତ ପ୍ରଦୂଷଣ ବୃଦ୍ଧି ପାଇଛି  ଭୁବନେଶ୍ବର ଆଖପାଖରେ ନିଆଁ ଲାଗିଥିଲେ ହେଁ ତାହାର ପ୍ରଭାବ ପଡିନାହିଁ। ତେବେ ନିଆଁକୁ ଆୟତ୍ତ କରିବାକୁ ବନବିଭାଗ ପକ୍ଷରୁ ବ୍ୟବପକ ପଦକ୍ଷେପ ନିଆଯାଉଛି। ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଦିଲ୍ଲୀରେ ସର୍ବାଧିକ ୪ଗୁଣା ବୃଦ୍ଧି ପାଉଛି। ତୁଳନାତ୍ମକ ଭାବେ ଭୁବନେଶ୍ବରରେ ସାମାନ୍ୟ ବୃଦ୍ଧି ପାଉଥିଲେ ହେଁ ତାହା ଚିନ୍ତାଜନକ ନଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କହିଛନ୍ତି।

Leave A Reply

Your email address will not be published.