ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିଛି ମାସ ଧରି ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଜୁନ୍ ୮ରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା।
ମାତ୍ର ଦିନକ ପରେ ଏହା ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଇଛି। ସମଗ୍ର ରାଜ୍ୟବାସୀ ପ୍ରଚଣ୍ଡ ଗରମରେ ଛଟପଟ ହେଉଛନ୍ତି। ଆସନ୍ତା ୨୬ ତାରିଖରୁ ଗ୍ରୀଷ୍ମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୨୩ ତାରିଖ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ୨୮ରୁ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏଥିଯୋଗୁ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ତଳକୁ ଖସି ଆସିବ। ତେବେ ଆସନ୍ତା ୪/୫ ଦିନ ଗରମ ଓ ଗୁଳୁଗୁଳି କଲବଲ କରିବ। ସେହିପରି ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।