ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେଲେ ସୁରମା ପାଢୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ବିଧାନସଭା ଦେଖିଲା ମହିଳା ବାଚସ୍ପତି ।  ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ହେଲେ ବିଧାନସଭା ବାଚସ୍ପତି । ତାଙ୍କ ନାମରେ ଆରମ୍ଭରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ବୁଧବାର ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ସୁରମା ବୁଧବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଆଜି ସ୍ବତନ୍ତ୍ର ବିଧାନସଭା ଅଧିବେଶନର ତୃତୀୟ ତଥା ଅନ୍ତିମ ଦିବସରେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ସୁରମା ପୂର୍ବରୁ ମଧ୍ୟ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । 2004ରୁ 2009 ମଧ୍ୟରେ ସେ ସମବାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ଚଳିତ ନିର୍ବାଚନରେ ବିଜେପି ଶାସନକୁ ଆସିବା ପରେ ତାଙ୍କ ନାମ ବାଚସ୍ପତି ପଦ ପାଇଁ ଚର୍ଚ୍ଚା ହୋଇଥିଲା । ବୁଧବାର ଦଳୀୟ ବୈଠକରେ ତାଙ୍କ ନାମରେ ଚୂଡାନ୍ତ ମୋହର ବାଜିବା ପରେ ସେ ନାମାଙ୍କନ ଭରିଥିଲେ । ସୁରମାଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ସେ ମଧ୍ୟ ସହମତି ପ୍ରକାଶ କରିଥିବା ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.