ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ । ସୋମବାର ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କା‌ଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ୪ ଘଣ୍ଟା ପାଇଁ କୋହଳ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି।

ଆଜି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ୪ ଘଣ୍ଟା ପାଇଁ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ। ଏଥିସହ ଲିଜ୍ ଲାଇନରେ ଇଣ୍ଟରନେଟ୍ ସେବା ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି।। କିନ୍ତୁ ମୋବାଇଲ୍ ନେଟୱର୍କରେ ଇଣ୍ଟରନେଟ ସୁବିଧା ମିଳିବ ନାହିଁ।ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏସପି ସାଗରିକା ନାଥ, ଜିଲ୍ଲାପାଳ ଆଶିଷ ଠାକରେ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

ଆସନ୍ତା ୨ଦିନ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପରିସ୍ଥିତିକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି। ଆଜି ହିଂସା ମାମଲାରେ ଉଭୟ ଗୋଷ୍ଠୀ ପକ୍ଷରୁ ରୁଜୁ ହୋଇଥିବା ୭ଟି ମାମଲାରେ ପୁଲିସ ୩୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାଛଡ଼ା କର୍ଫ୍ୟୁ ଆଇନ୍‌ ଉଲ୍ଲଂଘନ ଯୋଗୁଁ ସହରର ବିଭିନ୍ନ ଥାନାରେ ୩୦ରୁ ଅଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

Leave A Reply

Your email address will not be published.