ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ପଟିଆ ଛକ ନିକଟ ଏକ ଆପାର୍ଟମେଣ୍ଟରେ ସକାଳୁ ସକାଳୁ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଅଷ୍ଟମ ଫ୍ଲୋର୍ର ଏକ ଫ୍ଲାଟରେ ଆଜି ସକାଳୁ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଘରେ କେହି ନଥିବା ବେଳେ ଫ୍ଳାଟରେ କୌଣସି କାରଣରୁ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଏହା ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା।
ତେବେ ସୂଚନା ମୁତାବକ, ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡ଼େ ବ୍ୟାପିବାକୁ ଲାଗିଲା। ଉକ୍ତ ଫ୍ଲାଟଟି ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ। ନିଆଁ ଲିଭା ସରଞ୍ଜାମ ଏତେ ଉଚ୍ଚକୁ ନେବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା। ମାତ୍ର ବହୁ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ନିଜ ସରଞ୍ଜାମ ସହ ସେଠାରେ ପହଞ୍ଚିଥିଲେ।
ଦୀର୍ଘ ସମୟର ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି। ବେଶ୍ କିଛି ଘଣ୍ଟାର ଅପରେସନ୍ ପରେ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ ହୋଇଛି । ସବୁଠୁ ବଡ଼ କଥା ହେଉଛି ଅଗ୍ନିକାଣ୍ଡ ପରେ ଅନ୍ୟ ଫ୍ଲାଟରେ ଥିବା ଲୋକଙ୍କୁ ସେଠୁ ରେସ୍କ୍ୟୁ କରିବା କାଠିକର ହୋଇପଡ଼ିଥିଲା । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛି ଅଗ୍ନିଶମ ବିଭାଗ ।