ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଦ୍ଦ ହେଲା ୟୁଜିସି ନେଟ ପରୀକ୍ଷା । ଗତକାଲି ଦେଶବ୍ୟାପୀ ଅନୁଷ୍ଠିତ ଏ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା।
ପରେ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ବୁଝମଣା କରାଯାଇଥିବା କଥା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ଦିନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ଦେଶର 317ଟି ସହରରେ ନେଟ ପରୀକ୍ଷା ହୋଇଥିଲା । ଦୁଇଟି ସିପ୍ଟରେ ଓଏମଆରେ ମୋଟ 11 ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପୁଣି ଥରେ ଆଉ ଏକ ନୂଆ ପରୀକ୍ଷା କରାଯିବ । ଏଥି ପାଇଁ ପୃଥକ ଭାବେ ବିଜ୍ଞପ୍ତି ଜାରି ହେବ ।
ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ୟୁଜିସି ପରୀକ୍ଷାରେ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ରର ଜାତୀୟ ସାଇବର କ୍ରାଇମ ଆନାଲିଟିକ୍ସ ୟୁନିଟରୁ କିଛି ସୂଚନା ମିଳିଥିଲା । ପ୍ରାଥମିକ ଭାବେ ପରୀକ୍ଷାରେ ଅନିୟମିତିତା ହୋଇଥିବା ଜଣାପଡିଥିଲା । ଏହାପରେ ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ୟୁଜିସି ନେଟ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।