ଆସନ୍ତା ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ଆଗାମୀ ଦୁଇଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାନା ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିବ। ଆଗକୁ ଜାମ୍ମୁ ଏବଂ ହିମାଚଳ ପ୍ରଦେଶର କିଛି ଅଞ୍ଚଳରୁ ମୌସୁମୀ ଛାଡ଼ିବା ସମ୍ଭାବନା ରହିଛି। ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍‌।

ରାଜ୍ୟରେ ସୋମବାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ମଙ୍ଗଳବାର ରାଜ୍ୟର ପ୍ରାୟ ୧୧ ଜିଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ଜୁନ ୧ରୁ ଏବେ ସୁଧା ୧୦୯୨ ମିଲିମିଟର ବର୍ଷା ହେଇଛି। ସାଧାରଣ ଭାବେ ଏହି ସମୟ ମଧ୍ୟରେ ୧୧୫୦ ମିଲିମିଟର ବର୍ଷା ହୋଇଥାଏ ।

ଫଳରେ ଏବେ ବି ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨ ତାରିଖରେ ମଧ୍ୟ ୯ ଜିଲା ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Comments are closed.