ମହାରାଷ୍ଟ୍ର ମହାନାଟକ: ବିଦ୍ରୋହୀ ବିଧାୟକଙ୍କୁ Y+ ସୁରକ୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ମହାଭାରତ । ଉଦ୍ଧବ ସରକାରଙ୍କ ଉପରେ ଦିନକୁ ଦିନ ସଙ୍କଟ ମାଡ଼ି ଆସୁଛି । ଏହାରି ଭିତରେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ର ମହାନାଟକର ଅନ୍ତ କେବେ ? ନା ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଫେରୁଛନ୍ତି ନା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଉଛନ୍ତି । ସେପଟେ ଗତକାଲି ଠାରୁ ବିଜେପି ଖୋଲା ଖୋଲି ଭାବେ ଏବେ ସିନ୍ଦେଙ୍କ ସମର୍ଥନରେ ବାହାରିଛି । ସେପଟେ ଶିବସେନା କର୍ମୀମାନେ ମହାରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଶିବସେନାର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏବେ ୧୫ ଜଣ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । ବିଏସଏଫର ଯବାନମାନେ ଏହି ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ହେବେ । ଯେପରି ସେମାନଙ୍କର କୌଣସି କ୍ଷତି ନ ହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହାରି ଭିତରେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଶିବସେନା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିଛନ୍ତି ସଂଜୟ ରାୱତ ସେ କହିଛନ୍ତି କି, କଣ୍ଟାକୁ କଣ୍ଟାରେ କଢାଯାଏ । ସିନ୍ଦେ ଯେଭଳି ଭାବେ ଶିବସେନାକୁ ପଛରୁ ଛୁରୀ ମାରିଛନ୍ତି ତାହାର ଜବାବ ଏବେ ଶିବ ସୈନିକମାନେ ଦେଉଛନ୍ତି ବୋଲି ସେ କହିଛନ୍ତି । ତେବେ ମହାରାଷ୍ଟ୍ରର ଏହି ମହାନାଟକର ଅନ୍ତ କେବେ ହେଉଛି, ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.