ହମ୍‌ସଫର ଏକ୍ସପ୍ରେସରେ ଭୀଷଣ ନିଆଁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗୁଜରାଟର ଭଲସାଡରେ ହମ୍‌ସଫର ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଛି। ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।କୁହାଯାଉଛି ଯେ ଜେନେରେଟର କମ୍ପାର୍ଟମେଣ୍ଟରୁ ନିଆଁ ଯାତ୍ରୀ କୋଚକୁ ଲାଗିଯାଇଥିଲା। ଏହାପରେ ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନରୁ ଅଲଗା କରାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦିଆଯାଇଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନି ହେବାର ଖବର ନାହିଁ। ବର୍ତ୍ତମାନ ନିଆଁକୁ କାବୁ କରିବାକୁ ପ୍ରୟାସ କରାଯାଉଛି। ଜେନେରେଟର ରୁମ୍‌ରେ ନିଆଁ କିପରି ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଟ୍ରେନ୍‌ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ନିଜ ନିଜ ଜିନିଷପତ୍ର ଧରି ଟ୍ରେନ୍‌ରୁ ଓହ୍ଲାଉଥିବା ଦେଖିବାକୁ ମିଳିଥିଲା। ଗତ ସପ୍ତାହେ ଭିତରେ ଗୁଜରାଟରେ ଟ୍ରେନ୍‌ରେ ନିଆଁ ଲାଗିବାର ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଗୁଜରାଟର ଦାହୋଦରେ ଜେକୋଟ୍‌ ରେଳ ଷ୍ଟେସନଠାରୁ କିଛି ଦୂରରେ ଏକ ମେମୁ ଟ୍ରେନ୍‌ର ଇଞ୍ଜିନରେ ଭୀଷଣ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ପାଖ ଦୁଇଟି ବଗିକୁ ମଧ୍ୟ ଏହା ବ୍ୟାପିଯାଇଥିଲା। ଆଶ୍ୱସ୍ତିକର କଥା ଯେ ନିଆଁ ଟ୍ରେନର ଶେଷ ବଗିରେ ଲାଗିଥିଲା, ତେଣୁ ପୂରା ଟ୍ରେନ୍‌ଟି ନିଆଁ କବଳରେ ଆସିପାରି ନ ଥିଲା ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି

Leave A Reply

Your email address will not be published.