ମେ ତୃତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମେ ତୃତୀୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଆଜି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ବୋର୍ଡ ସଭାପତିଙ୍କ ସୂଚନା ଅନୁସାରେ, ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି। ଆଜି ମାଟ୍ରିକ ଖାତା ଦେଖା ସରିଛି । ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ନେଇ ନିର୍ଦ୍ଦେଶ ରହିଛି । କେବେ ପରୀକ୍ଷାଫଳ ବାହାରିବ କହି ହେବନି, ତଥାପି ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଚେଷ୍ଟା ଜାରି ରହିଛି। ସୋସିଆଲ ସାଇନ୍ସ ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ ।

ସୂଚନାଯୋଗ୍ୟ,ଏପ୍ରିଲ୍ ୩ ତାରିଖଠାରୁ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ରାଜ୍ୟରେ ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ସବୁ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ମୂଲ୍ୟାୟନ ପରେ କେନ୍ଦ୍ରରୁ ଅନ୍‌ଲାଇନରେ ମାର୍କ ପୋଷ୍ଟିଂ କରାଯାଇଚି। ମୂଲ୍ୟାୟନ କାର୍ଯ୍ୟ ୧୦ରୁ ୧୨ଦିନ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଉପସଭାପତି ଡକ୍ଟର ନିହାରରଂଜନ ମହାନ୍ତି ସୂଚନା ଦେଇଥିଲେ। ଏହା ମଧ୍ୟ ଯଥା ସମୟରେ ଶେଷ ହୋଇଛି। ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁ‌ଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.