ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋରଡ଼ା ଗସ୍ତ ପରେ ସମୀକ୍ଷା ବୈଠକରେ ଯୋଗ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର | ଆକ୍ସନ ମଡ଼ରେ ମୋରଡା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ ଡ଼ା.କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି ମୋରଡା ବ୍ଲକ ଗସ୍ତରେ ଆସି ପ୍ରଥମେ ଶ୍ରୀ ମହାପାତ୍ର ମୋରଡା ବଜାରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ଫୁଲମାଳ ଓ଼ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଏହାପରେ ଧାନଶୋଳସ୍ଥିତ ଅଭିରାମ ମଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବା ସହିତ ଶ୍ରୀ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ସେଠାରୁ ମୋରଡ଼ା ବ୍ଲକ କାର୍ଯ୍ୟାଳୟର କନଫରେନ୍ସ ହଲରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ।
ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ଓ ଉପସ୍ଥିତ କର୍ମୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଅଣାକର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ମହାପାତ୍ରଙ୍କ ସହିତ ବ୍ଲକ ଅଧ୍ୟକ୍ଷ ପିଥନାଥ ସୋରେନ, ମୋରଡା ତହସିଲଦାର ଉତ୍ତମ ଜେନା, ଆରଡବ୍ଲ୍ୟୁଏସଏସର ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର କୁମାର ନାଏକ, ଉପାଧକ୍ଷା ଜେମାମଣି ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା ଝରଣା ମୁର୍ମୁ, ସଭ୍ୟ ଅଭିରାମ ଭୋଇ, ସିଡ଼ିପିଓ଼ ବିଟୁ ଟୁଡୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,ସମସ୍ତ ବିଭାଗୀୟ ଅଧିକାରୀ ଓ଼ କର୍ମଚାରୀଗଣ ଉପସ୍ଥିତ ଥିଲେ। ବର୍ତ୍ତମାନର ସରକାର ଲୋକଙ୍କ ସରକାର, ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ କହିଥିଲେ ମନ୍ତ୍ରୀ ମହାପାତ୍ର। ପରେ ଲୋକଙ୍କ ସମସ୍ୟା ଶୁଣି ସମସ୍ୟାର ଯଥାଶୀଘ୍ର ସମାଧନ କରିବାକୁ ପଞ୍ଚାୟତ ତଥା ବ୍ଲକସ୍ତରୀୟ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ।ସେହିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସଠିକ ଭାବେ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ମହାପାତ୍ର।
ସେହିପରି ଆଜିର ବୈଠକରେ ମୁଖ୍ୟତଃ ପାଣି ସମସ୍ୟା, ଆବାସ ଗୃହ ସମ୍ପର୍କରେ ଅଧିକ ସମୀକ୍ଷା କରିଥିଲେ ମନ୍ତ୍ରୀ। ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାଏକ ବର୍ତ୍ତମାନ ମୋରଡା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ସମ୍ପୂର୍ଣ ଓ଼ ଅସମ୍ପୂର୍ଣ କାର୍ଯ୍ୟ ବାବଦରେ ବିବରଣୀ ପ୍ରଦାନ କରିଥିଲେ ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଯେମିତି ଘର ପାଇବାରୁ ବଞ୍ଚିତ ନହୁଅନ୍ତି ସେ ଉପରେ ଅଧିକ ଗୁରୁତ୍ୱରୋପ କରିଥିଲେ ଶ୍ରୀ ମହାପାତ୍ର। ଏଥିସହିତ ରାସ୍ତା, ଡ୍ରେନ କାର୍ଯ୍ୟ ନିର୍ମାଣରେ ସାଧାରଣ ଜନତା ଯେମିତି କ୍ଷତିଗ୍ରସ୍ତ ନହୁଅନ୍ତି ସେହିପାଇଁ ଦୃଷ୍ଟି ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଥିଲେ ମନ୍ତ୍ରୀ ଶ୍ରୀ ମହାପାତ୍ର ଏବଂ ନିର୍ବାଚନ ସମୟରେ ଯେଉଁସବୁ ପ୍ରତିଶୃତି ଦିଆଯାଇଛି ସେସବୁ ପାଞ୍ଚ ବର୍ଷ ଭିତରେ ନିହାତି ପୂରଣ କରାଯିବ ବୋଲି କହିଥିଲେ ମନ୍ତ୍ରୀ।