ଓଡିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ସୁସ୍ଥ ଦେଶ ଓ ବିଶ୍ୱ ଗଠନ କରିବା ଲାଗି ମୋଦି ସରକାର ସଦାସର୍ବଦା ନୂଆ ଢ଼ାଂଚା ଓ ନୂଆ ପ୍ରୟାସ କରିଥାନ୍ତି । ସମଗ୍ର ବିଶ୍ୱକୁ ଭାରତବର୍ଷର ସବୁଠୁ ବଡ଼ ଅବଦାନ ହେଉଛି “ଯୋଗ ଶିକ୍ଷା” । ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏକାଗ୍ରତା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ୨୦୦୦ବର୍ଷ ପୂର୍ବରୁ ପତଞ୍ଜଳୀ ଋଷି ଯୋଗର ଉପକାରିତା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ପ୍ରଚାର ଓ ପ୍ରସାର ଅଭାବରୁ ବିଶ୍ୱବାସୀ ଯୋଗର ଉପକାରିତା ସଂପର୍କରେ ଅଜ୍ଞ ଥିଲେ । ୨୦୧୪ରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବାପରେ ଯୋଗକୁ ବିଶ୍ୱସ୍ତରରେ ପରିଚିତ କରିବାର ଶପଥ ନେଇଥିଲେ । ୨୦୧୪ ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘ ଯୋଗକୁ ପରିଚୟ ଏବଂ ମାନ୍ୟତା ଦେବା ସହ ଜୁନ୍ ୨୧କୁ ଯୋଗ ଦିବସର ମାନ୍ୟତା ଦିଆଯାଇଥିଲା । ଏହା ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୂର୍ତ ଥିଲା ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ, ଆସନ୍ତାକାଲି ପାଳନ ହେବାକୁ ଯାଉଥିବା ଆନ୍ତର୍ଜାତୀକ ଯୋଗ ଦିବସରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶର ପ୍ରତ୍ୟେକ ବ୍ଲକ, ପଂଚାୟତ ଓ ଗାଁର ବିଭିନ୍ନ ସ୍ଥାନରେ ଯୋଗ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ତରଫରୁ ଦେଶର ପ୍ରମୁଖ ୭୫ଟି ଐତିହାସିକ ସ୍ଥାନରେ ଯୋଗ ଦିବସ ପାଳନ କରାଯିବ । ଓଡିଶାର ୩ଟି ସ୍ଥାନ ଏହି ତାଲିକାରେ ସାମିଲ ଅଛି । ପୁରୀରେ କେନ୍ଦ୍ର ଭାରୀ ଉଦ୍ୟୋଗୀ ମନ୍ତ୍ରୀ ଡ. ମହେନ୍ଦ୍ରନାଥ ପାଣ୍ଡେ, କୋଣାର୍କରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଖିଚିଂ (ମୟୂରଭଂଜ)ରେ କେନ୍ଦ୍ର ଆଦିବାସୀକଲ୍ୟାଣ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ କାର୍ଯ୍ୟକ୍ରମରେ ସାମିଲ ରହିବେ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିମାଚଳ ପ୍ରଦେଶର କାଙ୍ଗ୍ରା ଫୋର୍ଟରେ ଉପସ୍ଥିତ ରହି ଯୋଗ କରିବେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ସାରା ବିଶ୍ୱରେ ସରକାରୀ, ବେସରକାରୀ, କର୍ପୋରେଟ କ୍ଷେତ୍ର ସମେତ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ‘ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ଆୟୂଷ ମନ୍ତ୍ରଣାଳୟର ତତ୍ୱାବଧାନରେ ଯୋଗ ମହୋତ୍ସବ ସମିତି ଦ୍ୱାରା ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଡ. ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହମୁଖ୍ୟ ଶ୍ରୀ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।