ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ: କେବଳ ପଚରାଉଚରାରେ ସୀମିତ ତଦନ୍ତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ କେତେକ ଗୁରୁତର ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ମାସେ ପରେ ମଧ୍ୟ ମାମଲା ଉପରୁ ପରଦା ଉଠାଇ ପାରିନାହିଁ ସିବିଆଇ। କେବଳ ଘଟଣାସ୍ଥଳ ଯାଞ୍ଚ, ସାମଗ୍ରୀ ଜବତ, ରେଳ ଅଧିକାରୀଙ୍କୁ ପଚରାଉଚରାରେ ତଦନ୍ତ ସୀମିତ ହୋଇରହିଛି। ଯେଉଁଭଳି ଆରମ୍ଭରୁ ତତ୍ପରତା ଦେଖାଗଲା ସିବିଆଇ ତଦନ୍ତକାରୀ ଦଳ ସେଭଳି କିଛି ପର୍ଦ୍ଦାଫାସ୍ କରି ନ ପାରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଦୁର୍ଘଟଣାର ଦୁଇ ଦିନ ପରେ ଦୋଷୀ ଚିହ୍ନଟ ହୋଇଥିବା ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ କହିଥିବା ବେଳେ ସେହିଦିନ ଅପରାହ୍‌ଣରେ ସିବିଆଇ ତଦନ୍ତ ସୁପାରିସ୍‌ କରିଥିଲେ। କିନ୍ତୁ ଏଯାଏ କାହିଁକି ଏହି ରହସ୍ୟ ଉପରୁ ପରଦା ହଟିପାରିନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଗନାଲ୍ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଆରମ୍ଭରୁ କୁହାଯାଉଥିବା ବେଳେ ଏହାର କାରଣ ଖୋଜିବା ସମ୍ପୂର୍ଣ୍ଣ ଭାବେ ବୈଷୟିକ ବିଶେଷଜ୍ଞଙ୍କ ଉପରେ ନିର୍ଭର କରୁଛି। ବୈଷୟିକ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ତରବରିଆ ଭାବେ ସିବିଆଇକୁ କାହିଁକି ମାମଲା ହସ୍ତାନ୍ତର କରାଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ କଥା ହେଲା, ଦେଶକୁ ଦୋହଲାଇ ଦେଇଥିବା ଏଭଳି ଏକ ରେଳ ଦୁର୍ଘଟଣାର ତଦନ୍ତ ଅଗ୍ରଗତି ସମ୍ପର୍କରେ ମଧ୍ୟ ସିବିଆଇ ପକ୍ଷରୁ ସାମାନ୍ୟତମ ସୂଚନା ଦିଆଯାଉନାହିଁ। ଯାହାକୁ ନେଇ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହେଉଛି। ସିବିଆଇ ଦିଲ୍ଲୀ ଶାଖା ତଦନ୍ତଭାର ନେବା ପରେ ଘଟଣାସ୍ଥଳକୁ ଯାଇ ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରିବା ସହ କେନ୍ଦ୍ରୀୟ ଫୋରେନସିକ୍ ଟିମ୍ ସହାୟତାରେ କିଛି ନମୁନା ସଂଗ୍ରହ କରିଥିଲା। ଏହା ସହିତ ରିଲେ ରୁମରୁ ସିଗନାଲ ସିଷ୍ଟମ୍, ସ୍ବୟଂଚାଳିତ ସୁଇଚ୍ ବୋର୍ଡ, ଲାଇଟ୍ ଏ ସବୁ ମଧ୍ୟ ଜବତ କରିଥିଲା। ସିଗନାଲ୍ ଜେଇ, କର୍ମଚାରୀ, ଷ୍ଟେସନ ମାଷ୍ଟର, ଲୋ କୋ ପାଇଲଟ୍‌, ସହକାରୀ ଲୋକ ପାଇଲଟଙ୍କ ସହ ଏକାଧିକ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିଛି। କିନ୍ତୁ ଦୁର୍ଘଟଣାର କାରଣ ଏବେ ବି ରହସ୍ୟରେ ରହିଛି। ରେଳ ଦୁର୍ଘଟଣାର କାରଣକୁ ନେଇ ଏବେ ବି ଘଣ୍ଟାଚକଟା ଚାଲିଛି।

ଯଦିଓ କମିସନ ଅଫ ରେଲୱେ ସେଫଟି (ସିଆର୍‌ଏସ୍‌) ରିପୋର୍ଟ ଦାଖଲ କରିଛନ୍ତି ତଥାପି ସିବିଆଇର ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କର ନଜର ରହିଛି। ସିବିଆଇ ତଦନ୍ତ ଜାରି ରହିଥିବାରୁ ସିଆର୍‌ଏସ୍‌ଙ୍କ ରିପୋର୍ଟ ସାର୍ବଜନୀନ ହେବନାହିଁ। ରିପୋର୍ଟ ସାର୍ବଜନୀନ ହେଲେ ସିବିଆଇ ତଦନ୍ତ ପ୍ରଭାବିତ ହେବ ବୋଲି ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମତ ଦେଉଛନ୍ତି। କିନ୍ତୁ ସିଆର୍‌ଏସ୍‌ଙ୍କ ରିପୋର୍ଟରେ ସିଗନାଲିଂ, ଟେଲିକମ୍ ଏବଂ ଅପରେସନ (ଟ୍ରାଫିକ) ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ଯୋଗୁଁ ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସିବିଆଇ ଏହି ମାମଲାର ତଦନ୍ତ ରିପୋର୍ଟ କେବେ ଦାଖଲ କରିବ, ସେନେଇ ଏବେ ବି ଚିତ୍ର ସ୍ପଷ୍ଟ ହୋଇପାରିନାହିଁ। ଘଟଣ‌ାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ଗତକ‌ାଲି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ଜଣ ବରିଷ୍ଠ ଅଧିକାରୀମାନଙ୍କ ବଦଳି କରାଯାଇଥିବା ବେଳେ ଏଯାଏ କାହାର ଅବହେଳାକୁ ଦାୟୀ କରାଯାଇନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ଏତେ ବଡ଼ ଘଟଣାରେ କିଏ ଦାୟୀ ତାହାକୁ ସମସ୍ତେ ଅନ୍ଧାର ଭିତରେ ରହିଛନ୍ତି। ଅନ୍ୟପକ୍ଷରେ ଏମସରେ ଏବେ ବି ୫୨ ମୃତଦେହ ଚିହ୍ନଟ ଅପେକ୍ଷାରେ ଏମ୍‌ସରେ ରହିଛି। ମୃତଦେହଗୁଡ଼ିକର ପରିଚୟ ଏଯାଏ ମିଳି ପାରୁନାହିଁ। ଦାବିଦାରଙ୍କ ଡିଏନ୍ଏ ନମୁନା ସହ ମୃତଦେହରୁ ସଂଗୃହୀତ ଡିଏନ୍ଏ ରିପୋର୍ଟ ମେଳ କରାଯିବା ପରେ ପର୍ଯ୍ୟାୟକ୍ରମେ ଚିହ୍ନଟ ହେବ ବୋଲି କୁହାଯାଉଛି। କିନ୍ତୁ ମୃତଦେହକୁ ନେଇ ଦ୍ବନ୍ଦ୍ବ ଦୂର ହୋଇପାରୁନାହିଁ। ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ମଧ୍ୟ ରହିଛନ୍ତି। ସେହିପରି ଦୁର୍ଘଟଣା ପରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର କୌଣସି ପତ୍ତା ମିଳୁ ନଥିବା ଦାବି କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

Leave A Reply

Your email address will not be published.