ଓଡ଼ିଆ ନ୍ୟୁଜ୍: ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବା ଫଳରେ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏବେ ଯାଏଁ ୧୯ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଯାତ୍ରୀଙ୍କ ପତ୍ତା ମିଳୁନି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଭାରତୀୟ ସମୟ ଅନୁସାରେ ଗୁରୁବାର ଭୋର ସମୟରେ ୱାଶିଂଟନ ବିମାନ ବନ୍ଦରରେ ଆମେରିକାନ ଏୟାରଲାଇନ୍ସର ବିମାନ-୫୩୪୨ ଅବତରଣ କରୁଥିଲା। ଏହି ସମୟରେ ସେନାର ବ୍ଲାକହକ ହେଲିକପ୍ଟର ସହ ଏହାର ଧକ୍କା ହୋଇଥିଲା। ଉଭୟ ଯାତ୍ରୀବାହୀ ବିମାନ ଓ ହେଲିକପ୍ଟର ଧ୍ୱଂସାବିଶେଷ ନିକଟସ୍ଥ ପେଟୋମେକ ନଦୀରେ ପଡ଼ିଥିଲା। ଯାତ୍ରୀବାହୀ ବିମାନରେ ପ୍ରାୟ ୬୪ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏବେ ଘଟଣାସ୍ଥଳରେ ଫାୟାରବୋଟ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିମାନ ଧକ୍କା ହେବା ସମୟରେ ବଡ଼ ବିସ୍ଫୋରଣ ହୋଇଥିଲା। ଏହାପରେ ସମସ୍ତ ବିମାନର ଉଡ଼ାଣ ବନ୍ଦ କରାଯାଇଛି।